ଯାଜପୁର: ଜିଲ୍ଲା ରୋଡ ଥାନା ସାଇମନ୍ଦିର ରେଳ ଫାଟକ ନିକଟ ରେଳଧାରଣା କଡରୁ ମୂର୍ମୁଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଯୁବତୀଙ୍କର ଜଣେ ଯୁବକ ସହିତ ପ୍ରେମ ସଂପର୍କ ରହିଥିବା ନେଇ ସନ୍ଦେହ କରାଯାଉଛି ।
ଶୁକ୍ରବାର ରେଳ ଧାରଣା କଡରେ ଜଣେ ଯୁବତୀ ମୂର୍ମୁଷୁ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟ କିଛି ଯୁବକ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଯୁବକଙ୍କ ସହାୟତାରେ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡ଼ିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ଯୁବତୀଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ସୂଚନା ମୁତାବକ, ଯୁବତୀ ଜଣକ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଛାଳ ଗ୍ରାମର ଗୁରୁଚରଣ ସେଠୀଙ୍କ ଝିଅ ସାଗରବାଳା ସେଠୀ ଯାଜପୁର ରୋଡ ସ୍ଥିତ ଏକ ଘରୋଇ ସପିଂ ମଲରେ କାର୍ଯ୍ୟ କରନ୍ତି । ସେ ସେଠାରେ ନିଜ ସହକର୍ମୀ ଝିଅ ମାନଙ୍କ ସହିତ ଏକ ଭଡା ଘରେ ରହୁଥିଲେ । ଗତକାଲି ସନ୍ଧ୍ୟା ୭ଟା ବେଳେ ସାଗରବାଳା ଡ୍ୟୁଟି ସାରି ନିଜ ରୁମକୁ ଯାଇଥିଲେ । ସେଠାରୁ ବଜାରରେ କିଛି କାମ ଅଛି ବୋଲି ସାଙ୍ଗ ମାନଙ୍କୁ କହି କେଉଁଆଡେ ଚାଲିଯାଇଥିଲେ । ଏହାପରେ ରାତି ୧୦ଟା ବେଳେ ରେଳ ଧାରଣା କଡରୁ ମୂର୍ମୁଷୁ ଅବସ୍ଥାରେ ସାଗରବାଳାଙ୍କୁ ଉଦ୍ଧାର କରାଯାଇଥିଲା ।
ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଯାଜପୁର ରୋଡ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । କେହି ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଉଦ୍ୟମ କରିଥିବା ଯୁବତୀଙ୍କ ମାଆ ମମତା ସେଠି କହିଛନ୍ତି । ଯୁବତୀଙ୍କର ଜଣେ ଯୁବକ ସହିତ ପ୍ରେମ ସଂପର୍କ ରହିଥିବା ବେଳେ ସେ ଏଥିରେ ସମ୍ପୃକ୍ତ ଥାଇପାରେ ବୋଲି ମମତା ସନ୍ଦେହ ପ୍ରକାଶ କରିଛନ୍ତି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ