ଯାଜପୁର: ମଣିଷ ଜୀବନ ପାଣି ଫୋଟକା । ଏଇ ଅଛି ପୁଣି ଏଇ ନାହିଁ । ନିଶ୍ବାସ କେବେ ଯେ ଅଟକିଯିବ ତାହା କେହି ଜାଣନ୍ତି ନାହିଁ । ରାତିରେ ତାରା ଦେଖି ଶୋଇଥିବା ଲୋକ ସକାଳେ ନିଶ୍ଚିତ ଯେ ସୂର୍ଯ୍ୟ ଦେଖିପାରିବ ତାହା କହିବା ମୁସ୍କିଲ । ସେଭଳି କିଛି ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ବରପଦା ଗ୍ରାମରେ । ଏହି ଗ୍ରାମର ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ଜୁଇ ଏକା ସାଙ୍ଗରେ ଜଳିଛି । ବରପଦାର ବାସୁଦେବ ମଲ୍ଲିକ ପତ୍ନୀ ଏବଂ ଦୁଇ ପିଲାଙ୍କୁ ନେଇ ହାଇଦ୍ରାବାଦରେ ରହୁଥିବା ବେଳେ ବିଦ୍ୟୁତ ଆଘାତରେ ବାପାମାଆ ଏବଂ ତାଙ୍କ କୁନି ଝିଅଟିର ମୃତ୍ୟୁ ଘଟିଛି । ମୃତ୍ୟୁମୁଖରୁ କେବଳ 7 ବର୍ଷର ବଡ ଝିଅ ବର୍ତ୍ତି ଯାଇଛି ।
ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବାସୁଦେବ ମଲ୍ଲିକ । ଦୁଇ କୁନି ଝିଅ ଓ ପତ୍ନୀ ମଧ୍ୟ ତାଙ୍କ ସହ ସେଠାରେ ଭଡାଘରେ ରହୁଥିଲେ । ବେଶ୍ ହସଖୁସିରେ ଚାଲିଥିଲା ସଂସାର । ଗତ 27 ତାରିଖ ଦିନ ଲୁଗା ଶୁଖାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ବାସୁଦେବ । ସ୍ବାମୀକୁ ବଞ୍ଚାଇବା ଲାଗି ତାଙ୍କ ପତ୍ନୀ ରୀନା ଏବଂ ତିନି ବର୍ଷର ସାନ ଝିଅ ପଛେ ପଛେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା । ହେଲେ ସେହି ସମୟରେ ବଡ ଝିଅ ଟ୍ୟୁସନ ଯାଉଥିବାରୁ ଭାଗ୍ୟବଶତଃ ତାର ଜୀବନ ବଞ୍ଚିଯାଇଛି ।
ସେପଟେ ଏହି ଦୁଃଖଦ ଖବର ପାଇବା ପରେ ବାସୁଦେବଙ୍କ ଗାଁ ବରପଦାରେ ଶୋକର ଲହରୀ ଖେଳି ଯାଇଛି। କାହା ଘରେ ଚୁଲି ଜଳୁନି କି କାହା ପେଟକୁ ଦାନ ଯାଉନି । ମୃତକଙ୍କ ଆତ୍ମୀୟ ଏବଂ ପରିବାର ଲୋକେ ହାଇଦ୍ରାବାଦ ଯାଇ ମୃତଦେହ ସଂସ୍କାର କରିଛନ୍ତି । ହେଲେ ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ କ'ଣ ହେବ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଝିଅଟିର ଭବିଷ୍ୟତ । ତେଣୁ ବାସୁଦେବଙ୍କ ପରିବାରକୁ ସହୟତା ଯୋଗାଇବା ସହ ଝିଅଟିକୁ ଗାଁକୁ ଆଣିବାର ବ୍ୟବସ୍ଥା କରିବାକୁ ଏବଂ ତା'ର ଭବିଷ୍ୟତ ସଜାଡିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ