ଯାଜପୁର: ସମବାୟ ସମିତିରେ ବ୍ୟାପକ ଅନିୟମିତା ଅଭିଯୋଗ କରି ଚାଷୀଙ୍କ ପ୍ରତିବାଦ । ଯାଜପୁର ଜିଲ୍ଳା ବଡଚଣା ବ୍ଲକ ଭରତପୁର ସେବା ସମବାୟ ସମିତିରେ ବ୍ୟାପକ ଅନିୟମିତା ଅଭିଯୋଗ କରି ଅନନ୍ତ ନାରାୟଣ ଧଳଙ୍କ ନେତୃତ୍ବରେ ଚାଷୀମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଗତବର୍ଷ ଫନି ବାତ୍ୟା ସମୟରେ ଭରତପୁର ସମବାୟ ସମିତିର ସମସ୍ତ ଚାଷୀମାନଙ୍କୁ ଋଣ ୭୪ ପ୍ରତିଶତ ଛାଡ କରାଯିବା ପରେ ଅବଶିଷ୍ଟ ୨୬ ପ୍ରତିଶତକୁ କୋରୋନା ଯୋଗୁଁ ସୁବିଧା ଅନୁସାରେ ସୁଝିବା ପାଇଁ ସରକାର ଘୋଷଣା କରିଥିଲେ ।
ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସମସ୍ତ ଋଣ ପ୍ରଦାନକାରୀ ସଂସ୍ଥା କୋହଳ ହେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ସତ୍ବେ ଭରତପୁର ସମବାୟ ସମତି ଏହାର ଖୋଲା ଉଲ୍ଲଂଘନ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନେ ବୀମା ଆକାରରେ ପାଇଥିବା ଟଙ୍କାକୁ ସମିତିର ସମ୍ପାଦକ କୌଣସି ସୂଚନା ନଦେଇ ଜବରଦସ୍ତ ଋଣ ଖାତାରେ ପରିଶୋଧ କରାଇଥିବାରୁ ଚାଷୀମାନେ ଏହାର ପ୍ରତିବାଦ କରିଛନ୍ତି ।
ଅନ୍ୟପକ୍ଷରେ ଋଣ ପ୍ରଦାନ ସମୟରେ ଚାଷୀମାନଙ୍କଠାରୁ ବ୍ଲାଙ୍କ ଚେକ୍ ନିଆଯାଇ ମନଇଚ୍ଛା ବ୍ୟବହାର କରିଥିବାରୁ ସମବାୟ ସମିତିର ସମ୍ପାଦକଙ୍କୁ ଗିରଫ କରାଯିବା ସହ ଏହାର ତଦନ୍ତ ପାଇଁ ଚାଷୀମାନେ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ