ଯାଜପୁର: ଅନ୍ତର୍ଜାତୀୟ କନ୍ୟା ଦିବସରେ ଯାଜପୁର ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଜିଲ୍ଲାର ୯ ପ୍ରତିଭା ହେବେ ମୁଖ୍ୟ ମାଧ୍ୟମ । ଯାଜପୁର ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଚ୍ଚକୋଟି ପ୍ରତିଭା ସଂପନ୍ନ ୯ ଜଣ କୃତୀ କନ୍ୟା ସନ୍ତାନଙ୍କୁ ଆଜି ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ସାମିଲ କରାଯାଇଛି । ଅନ୍ୟ କନ୍ୟାମାନଙ୍କୁ ପ୍ରେରଣା ଯୋଗାଇବାର ମାଧ୍ୟମ କରାଯିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି ।
୨୦୧୫ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବେଟି ବଚାଓ, ବେଟି ପଢାଓ ଅଭିଯାନ ଆରମ୍ଭ ହୋଇଥିଲା । ଫଳରେ ଦେଶରେ ଲୁକ୍କାୟିତ ଅନେକ ପ୍ରତିଭା ଆଜିର ଦିନରେ ସମ୍ବର୍ଦ୍ଧିତ ହେବା ସହ ସେମାନଙ୍କ ପ୍ରତିଭା ସାମ୍ନାକୁ ଆସିପାରୁଛି। ତେବେ ଆଜି କାର୍ଯ୍ୟକ୍ରମ କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ।
ଭାରତର ଅନେକ ସ୍ଥାନରେ ଏବେବି ଝିଅ ଜନ୍ମ ହେଲେ ତାକୁ ମାରିଦିଆଯାଏ । ପ୍ରତ୍ୟେକ ପର୍ଯ୍ୟାୟରେ ଭେଦଭାବ, ଅପମାନ ଏବଂ ଅତ୍ୟାଚାରର ସମ୍ମୁଖୀନ ହୋଇଥାଏ ଝିଅଟିଏ । ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଅଭିବୃଦ୍ଧି ସୁଯୋଗ ଆଦି କ୍ଷେତ୍ରରେ କନ୍ୟାଶିଶୁଟି ସବୁବେଳେ ଭେଦଭାବର ସମ୍ମୁଖୀନ ହୁଏ । କେତେକ ବଞ୍ଚିବାରେ ସଫଳ ହେଲେ ବି ପରିବାରର ଚାପରେ ପ୍ରତିଦିନ ମୃତ୍ୟୁବରଣ କରିଥାନ୍ତି ।
ଡିସେମ୍ବର 19, 2011 ରେ ମିଳିତ ଜାତିସଂଘର ସାଧାରଣ ସଭା 66/170 ରିଜୋଲୁସନ ଗ୍ରହଣ କରି ଅକ୍ଟୋବର 11 କୁ ‘କନ୍ୟା ଶିଶୁ ଦିବସ’ ଭାବରେ ଘୋଷଣା କରାଯାଇଥିଲା । ବାଳିକାମାନଙ୍କର ଅଧିକାର ତଥା ସମଗ୍ର ବିଶ୍ବରେ ସେମାନେ ସମ୍ମୁଖୀନ ହେଉଥିବା ଅନନ୍ୟ ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ