ଯାଜପୁର: ଆସନ୍ତା 28 ତାରିଖ ଭୁବନେଶ୍ବର ଆସୁଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଗସ୍ତ ସମୟରେ ମୁଖ୍ୟତଃ ଦେଶର ବିରୋଧୀ ଦଳ ଗୁଡିକ ଯେଉଁଭଳି ଭାବେ ସିଏଏକୁ ବିରୋଧ କରି ଲୋକଙ୍କ ମଧ୍ୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି ତାର ସେ ଜବାବ ଦେବେ ।
ଏହାସହ ପ୍ରମୁଖ ବିରୋଧୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ଲୋକପ୍ରିୟତାରେ ଇର୍ଶାନ୍ବିତ ହୋଇ ଏଭଳି କାଣ୍ଡ କରୁଛନ୍ତି । ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ସାଧାରଣ ସମାବେଶରେ ଯୋଗ ଦେବା ସହିତ ବିଭିନ୍ନ ବୁଦ୍ଧିଜୀବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଯାଜପୁର କୋରେଇ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଲେଖାଶ୍ରୀ । ଏହି ସମ୍ମିଳନୀରେ ଯାଜପୁର ବିଜେପି ସଭାପତି ଗୌତମ ରାୟ ଯୋଗ ଦେଇ ଅମିତ ଶାହ ସମାବେଶରେ ଯାଜପୁର ଜିଲ୍ଲାର 314ଟି ପଞ୍ଚାୟତ ଓ ଦୁଇଟି ପୌରପାଳିକାରୁ 20 ହଜାରରୁ ଊର୍ଦ୍ଧ୍ବ ବିଜେପି କର୍ମୀ ଓ ବୁଦ୍ଧିଜୀବୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ