ଯାଜପୁର: ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ବାଇକରେ ଯାଉଥିବା ସମୟରେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ଅର୍ଜୁନ ଚରଣ ଦାସ ଦୁର୍ଘଟଣା ଶିକାର ହୋଇଛନ୍ତି । ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିବା କୁହାଯାଉଛି ।
ତେବେ ଏହି ସଡ଼କ ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଛନ୍ତି । ଅନନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରେ ଆୟେଜିତ ଏକ କୃଷକ ସମ୍ମିଳନୀରେ ଯୋଗଦେବା ପାଇଁ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଜଣେ ସହଯୋଗୀ ଅନନ୍ତ ମହାନ୍ତିଙ୍କ ସହିତ ଯାଉଥିଲେ । ଖରସ୍ରୋତା ବ୍ରିଜ ଉପରେ ତାଙ୍କ ଉପରେ ଏକ ବାଲିବୋଝେଇ ହାଇୱା ଟ୍ରକ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଅର୍ଜୁନଙ୍କର ମୃତ୍ୟୁ ଘଟିଥିଲା । ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଥିଲେ । ଅନନ୍ତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି । ଯାଜପୁର ସଦର ପୋଲିସ ବାଲି ବୋଝେଇ ହାଇୱାକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ର୍ସ୍ବଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏଁ କଂଗ୍ରେସ ଦଳରୁ ବିଧାୟକ ଥିଲେ । ନିକଟରେ ସେ ହାଇଦ୍ରାବାଦ ଯାଇ ଭାରତ ରାଷ୍ଟ୍ର ସମିତି (BRS) ପାର୍ଟିରେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଯାଜପୁର