ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମ ନଗର ଠାରେ ଗତକାଲି ରାତିରେ ଦୁର୍ବୃତ୍ତଙ୍କ ବୋମା ମାଡରେ ସୂଚନା ଅଧିକାର କର୍ମୀ ଆହତ ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି । ଏନେଇ ଆଜି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଓ ବୋମା ମାଡରେ ଆହତ ସର୍ବେଶ୍ୱର ବେହୁରାଙ୍କ ପତ୍ନୀ ଲିଖିତ ଭାବେ ଥାନାରେ ଅଭିଯୋଗ କରିଛନ୍ତି ।
ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ବିଜେପିର ସର୍ବେଶ୍ୱର ବେହୁରା ଏ ଅଞ୍ଚଳରେ ହେଉଥିବା ବିଭିନ୍ନ ଦୁର୍ନୀତିକୁ ସୂଚନା ଅଧିକାର ଆଇନ ବଳରେ ଲୋକ ଲୋଚନକୁ ଆଣିବା ସହିତ ଏହା ବିରୁଦ୍ଧରେ ଆଇନଗତ ଲଢେଇ ଜାରି ରଖିଛନ୍ତି । ଏଥିଯୋଗୁଁ କିଛି ମୁଷ୍ଟିମେୟ ଲୋକଙ୍କ କଳା କାରନାମାର ପର୍ଦ୍ଦାଫାଶ ହେଉଛି । ସେଥିପାଇଁ ସେମାନେ ଏଭଳି କାଣ୍ଡ ଭିଆଇ ଭୟର ବାତାବରଣ ସୃଷ୍ଟିି କରୁଛନ୍ତି । ଦୁର୍ବୃତ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ସର୍ବେଶ୍ୱରଙ୍କ ପତ୍ନୀ ରିଲୁ ବେହୁରା ଥାନାରେ ଲିଖିତ ଭାବେ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଯାଜପୁର ଏସପି କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ