ଯାଜପୁର: ଆର୍ଥିକ ଅନଟନ କାରଣରୁ ବିଷ ପିଇଲେ ଦମ୍ପତି । ଘଟଣାରେ ସ୍ବାମୀ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ପତ୍ନୀର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ମଙ୍ଗଳପୁର ଥାନା ବିରିପଟା ଗାଁରେ ।
ସୂଚନାନୁସାରେ, ବିରିପଟା ଗ୍ରାମର ଶ୍ରୀକାନ୍ତ ମିଶ୍ର ମୁଲ ମଜୁରୀ କାମ କରି ପେଟ ପୋଷିଥାନ୍ତି । କିନ୍ତୁ କୋରୋନା ପାଇଁ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ପରିବାରରେ ଆର୍ଥିକ ଅନଟନ ଦେଖାଦେଇଥିଲା । ଧୀରେ ଧୀରେ ଲକଡାଉନ କୋହଳ ହେବା ପରେ ମଧ୍ୟ ସେମାନଙ୍କ ସ୍ଥିତିରେ ଶ୍ରୀକାନ୍ତଙ୍କୁ କାମଧନ୍ଦା ମିଳୁନଥିଲା । ଯେଉଁକାରଣରୁ ଘରେ ଅଶାନ୍ତି ଲାଗି ରହିଥିଲା । ରବିବାର କୌଣସି କାରଣରୁ ଶ୍ରୀକାନ୍ତ ବିଷ ପିଇବାକୁ ଉଦ୍ୟମ କରିଥିଲେ, ଏହା ଦେଖି ତାଙ୍କ ପତ୍ନୀ ତାଙ୍କ ଠାରୁ ବିଷ ବୋତଲ ଛଡାଇ ନେଇ ନିଜେ ପିଇ ଦେଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ ଘଟିଛି ଏବଂ ଶ୍ରୀକାନ୍ତ ଅଳ୍ପକେ ବଞ୍ଚି ଯାଇଛନ୍ତି । ଘଟଣାରେ ମଙ୍ଗଳପୁର ପୋଲିସ ସନ୍ଧ୍ୟାରାଣୀଙ୍କ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ