ଯାଜପୁର: ଟ୍ରଲିରେ ବୁହା ହେଲା ମୃତଦେହ । ଯାଜପୁରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଙ୍କୁଲା ଅଞ୍ଚଳର ଗୁରୁବାରି ମୁଣ୍ଡା ନାମକ ମହିଳାଙ୍କ ମୃତଦେହକୁ ଟ୍ରଲିରେ ଯାଜପୁର ମୁଖ୍ୟ ଡାକ୍ତରଖାନାରୁ ନିଜ ଘରକୁ ଅଣାଯିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗତକାଲି ଗୁରୁବାରି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ତାଙ୍କୁ ତୁରନ୍ତ ହସପିଟାଲରୁ ପଳାଇବା ପାଇଁ କୁହାଯାଇଥିଲା । ଏପରିକି ମୃତଦେହର କୌଣସି ବ୍ୟବଚ୍ଛେଦ ନକରି ଛାଡି ଦେଇଥିଲେ ଡାକ୍ତରଖାନା କର୍ତ୍ତୃପକ୍ଷ ।
କିପରି ଓ କାହିଁକି ଗୁରୁବାରିର ମୃତ୍ୟୁ ହେଲା ତାର ମଧ୍ୟ ଯାଞ୍ଚ କରିନଥିଲେ କର୍ତ୍ତୃପକ୍ଷ । ଫଳରେ ପରିବାର ଲୋକେ ମୃତଦେହକୁ ଏକ ଟ୍ରଲିରେ ନିଜ ଘରକୁ ଆଣି ସଂସ୍କାର କରିଥିବା ଜଣାପଡିଛି । ମୃତଦେହକୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାର ମହାପରାୟଣ ଗାଡିର ବ୍ୟବସ୍ଥା କରିଥିଲେ ମଧ୍ୟ ଏଠି ସଂପୁର୍ଣ୍ଣ ଫେଲ ମାରିଥିବା ପରି ମନେ ହେଉଛି । ଯାହାକୁ ସାଧାରଣରେ ନିନ୍ଦା କରାଯିବା ସହିତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ