ଯାଜପୁର: ମହାମାରୀ କୋରୋନାର ମୁକାବିଲା ପାଇଁ ସାରା ଦେଶ ଏବେ ୪ର୍ଥ ପର୍ଯ୍ୟାୟ ଲକଡାଉନରେ । ଏଭଳି ପରିସ୍ଥିତିରେ ନାନା ସମସ୍ୟା ଭୋଗ କରୁଛନ୍ତି ବିଭିନ୍ନ ବର୍ଗର ଲୋକେ। କାମଧନ୍ଦା ବନ୍ଦ ଥିବାରୁ ପେଟକୁ ୨ ଓଳି ୨ ମୁଠା ଦାନା ଯୋଗାଡ କରିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡିଛି। ତେବେ ଏଭଳି ଲୋକଙ୍କୁ ସହାୟତା କରିବାକୁ ଆଗେଇ ଆସିଛି କ୍ଲବ ଦି ୟୁଥ୍ ମାସ୍ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ।
ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ଥିବା ବସ୍ତି ଓ ସାହିରେ ମଧ୍ୟ ଲକଡାଉନ୍ ପ୍ରଭାବ ଦେଖିବାକୁ ମିଳିଛି। ଏଠାକାର ଲୋକେ କାମଧନ୍ଦା ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି। ତେବେ ଏଭଳି ସ୍ଥିତିରେ କ୍ଲବ ଦି ୟୁଥ୍ ମାସ୍ ସଙ୍ଗଠନର ସଦସ୍ୟ ମାନେ ପହଞ୍ଚି ଏଭଳି ଲୋକ ମାନଙ୍କୁ ବିଭିନ୍ନ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ଭିନ୍ନ ଉପାୟରେ ଷ୍ଟଲ ଖୋଲି ଚାଉଳ, ଡାଲି, ଆଳୁ ପିଆଜ, ତେଲ, ଚୁଡ଼ା, ଚିନି, ବିସ୍କୁଟ ଓ ବିଭିନ୍ନ ପନିପରିବା ରଖିଛନ୍ତି। ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ନିଜେ ଆସି ଷ୍ଟଲରୁ ଖାଦ୍ୟ ସାମଗ୍ରୀ ନେଇଥିଲେ।
ଏହି ଲୋକମାନଙ୍କ ମଧ୍ୟରେ ସାମିଲ ଥିଲେ ଭିନ୍ନକ୍ଷମ, ଭିକ୍ଷୁକ, ଅସହାୟ ଓ ଦିନମଜୁରିଆ। ତେବେ ଏଭଳି ଲୋକଙ୍କୁ ସହାୟତା କରି ବେଶ ଉତ୍ସାହିତ କ୍ଲବ ଦି ୟୁଥ୍ ମାସ୍ ସଙ୍ଗଠନର କର୍ମକର୍ତ୍ତା।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ