ଯାଜପୁର : ଜିଲ୍ଲା ଦଶରଥପୁର ବ୍ଲକ ପ୍ରକଟପୁର ଗାଁରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ପ୍ରକଟପୁର ଗାଁର ଜନୈକ ଦମ୍ପତି ତାଙ୍କ ନବଜାତ ଶିଶୁ କନ୍ୟାକୁ ୭ ହଜାର ଟଙ୍କାରେ ବିକ୍ରୀ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଙ୍ଗନବାଡ଼ି କର୍ମୀଙ୍କ ସୂଚ଼ନା ଅନୁସାରେ ଦଶରଥପୁର ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ମଞ୍ଜୁଳା ରଥ ଏନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହି ଘଟଣା ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଏକ ଟିମ୍ ଚମ୍ପେଇପାଳରୁ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ ।
ଶିଶୁ କନ୍ୟାକୁ କିଣିଥିବା ବରିଆନା ଅଞ୍ଚଳର ସୁବାଷ ପଲାଇ ଓ ମଧୁସ୍ମିତା ପଲାଇଙ୍କୁ ଝୁମ୍ପୁରୀ ଫାଣ୍ଡିକୁ ଡକାଯାଇ ପଚରା ଉଚୁରା କରାଯାଇଛି । ସମସ୍ତଙ୍କ ଉପସ୍ଥିତିରେ ଉଭୟ ଦମ୍ପତ୍ତିଙ୍କୁ ଶିଶୁ କନ୍ୟା ବିକ୍ରୀ ସମ୍ବନ୍ଧୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦିଆଯାଇଛି । ଉଦ୍ଧାର ଶିଶୁ କନ୍ୟାକୁ ଜିଲ୍ଲା ଉତ୍କଳ ବାଳାଶ୍ରମ ପରିସରରେ ଥିବା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅସ୍ଥାୟୀଭାବେ ଥଇଥାନ କରାଯାଇଛି । ମଙ୍ଗଳପୁର ପୋଲିସ ଘଟଣାର ତଦନ୍ତ କରୁଛି ।
ଇଟିଭି ଭାରତ, ଯାଜପୁର