ଯାଜପୁର: ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚକ୍ରବର୍ତ୍ତୀ ସିଂ ରାଠୋର । ସୋମବାର ସକାଳୁ ସେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କର ପ୍ରଥମ ପ୍ରାଧାନ୍ୟ କୋରୋନା ଥିବା ବେଳେ ବନ୍ୟାଞ୍ଚଳର ସ୍ଥିତିକୁ ମଧ୍ୟ ସେ ବର୍ତ୍ତମାନ ବିଶେଷ ଦୃଷ୍ଟି ଦେବେ । କୋରୋନା ତାଲିକାରେ ଯାଜପୁର ବର୍ତ୍ତମାନ 5 ନମ୍ବରରେ ରହିଥିବା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି ।
ତେବେ ଚକ୍ରବର୍ତ୍ତୀ ରାଠୋର ଯାଜପୁର ଜିଲ୍ଲାପାଳ ଦାୟିତ୍ବ ନେବା ପୂର୍ବରୁ ବରହମପୁର ମୁନିସିପାଲ କର୍ପୋରେସନର କମିଶନର ଭାବେ କାର୍ଯ୍ୟରତ ଥିଲେ। ସେଠାରେ ସେ କୋରୋନା ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଯାଜପୁରରେ କାର୍ଯ୍ୟକାରୀ କରାଯାଇଛି । ଆଗକୁ ବ୍ରହ୍ମପୁର ଭଳି ଯାଜପୁରରେ କୋରୋନା ନିୟନ୍ତ୍ରଣ ହେବ ବୋଲି ସେ କହିଛନ୍ତି ।
ଆସନ୍ତା ୧୫ ଦିନ କୋରୋନା ମୁକାବିଲାକୁ ମୁଖ୍ୟ ଲକ୍ଷ୍ୟ ରଖି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥି ସହିତ ଜିଲ୍ଲାବାସୀଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣ କୋରୋନା ଗାଇଡଲାଇନ ମାନିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ