ଯାଜପୁର: ଭିସା ନଥିବାରୁ 2 ବର୍ଷର ଜେଲଦଣ୍ଡ ପରେ ବି ଜେଲରୁ ମୁକୁଳି ପାରୁନାହାନ୍ତି ବାଂଲାଦେଶୀ ଶ୍ରମିକ ସକିଲ। 2ବର୍ଷ ହେବ ଜେଲ ବାରଣ୍ଡାରେ ନଜରବନ୍ଦୀ ହୋଇ ରହିଛନ୍ତି। ସକିଲଙ୍କ ଘର ବାଂଲାଦେଶର ମୀରପୁର ଜିଲ୍ଲା ଦାରୁସାଲମ ଥାନା ଅଞ୍ଚଳରେ। ବାପା ମାଙ୍କୁ ଏକମାତ୍ର ପୁଅ ଭାବେ ଜୀବିକା ଅନ୍ବେଷଣରେ ବାଂଲାଦେଶରୁ ଭାରତ ଆସି ଯାଜପୁରର ପାଣିକୋଇଲି ପୋଲିସ ହାବୁଡରେ ପଡିଥିଲେ। ମାତ୍ର ଜେଲଦଣ୍ଡ ଭୋଗିବା ପରେ ବି ଭିସା ପାସପୋର୍ଟ ନଥିବାରୁ ନିଜ ଦେଶକୁ ଫେରି ପାରୁନାହାନ୍ତି ସକିଲ।
ସେପଟେ ରୋଗଶଯ୍ୟାରେ ମୃତ୍ୟୁ ସହ ଲଢୁଥିବା ମା ଏବେ ବି ପୁଅର ଫେରିବା ବାଟ କୁ ଚାହିଁ ବସିଛି। ସ୍ତ୍ରୀ, ପିଲାଛୁଆ ମଧ୍ୟ ସକିଲଙ୍କ ଫେରିବା ବାଟକୁ ଅନେଇ ବସିଛନ୍ତି କେବେ ଘରକୁ ଫେରିବେ ସକିଲ। ବିନା ଭିସାରେ ଜୀବିକା ପାଇଁ ସୁଦୂର ବାଂଲାଦେଶରୁ ଭାରତକୁ ଚାଲି ଆସିଥିଲେ ସେ । ମୁମ୍ବାଇ ଓ କଲିକତା ପରେ ଓଡିଶାରେ ପହଞ୍ଚି ଯାଇଥିଲେ। ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ହାବୁଡରେ ପଡି ଜେଲ ଦଣ୍ଡ ଭୋଗିଲେ। ବିଚାର ବିଭାଗୀୟ ହାଜତରେ 2 ବର୍ଷ ଜେଲ ରେ ରହିବା ପରେ ଏବେ ପ୍ରାୟ ଦୁଇ ବର୍ଷ ହେବ ଜେଲ ବାରଣ୍ଡାରେ ନଜରବନ୍ଦୀ ଭାବେ ଦିନ କାଟୁଛନ୍ତି। କାରଣ ଭିସା, ପାସପୋର୍ଟ ନଥିବାରୁ ଜେଲରୁ ମୁକୁଳି ଥିଲେ ମଧ୍ୟ ଘରକୁ ଫେରିପାରୁ ନାହାଁନ୍ତି । ଫଳରେ ଯାଜପୁର ପୋଲିସର ହେପାଜତରେ ଏବେ ସ୍ବଦେଶ ଫେରିବାକୁ ଦିନ ଗଣୁଛନ୍ତି ସକିଲ ।
ସେପେଟ ସକିଲ ଦୀର୍ଘଦିନ ଜେଲ ଦଣ୍ଡ କାଟୁଥିବା ବେଳେ ପରିବାର ଲୋକଙ୍କୁ ଭେଟିବାକୁ ଇଚ୍ଛା କରି ଜେଲ ପାଚେରୀ ଡେଇଁ ଖସି ଯିବାକୁ ଉଦ୍ୟମ କରି ବିଫଳ ହୋଇ ପୁଣି ଏକ ମାମଲାରେ ଛନ୍ଦି ହୋଇ ଦଣ୍ଡିତ ହୋଇଥିଲେ । ଏବେ ସମସ୍ତ ମାମଲାର ଦଣ୍ଡ ଭୋଗି ଜେଲରୁ ଖଲାସ ହୋଇଥିଲେ ମଧ୍ୟ ପୋଲିସ ହେପାଜତରେ ଅଛନ୍ତି । କାରଣ ପାସପୋର୍ଟ ନଥିବାରୁ ତାଙ୍କ ଫେରିବା ବିଳମ୍ବ ହେଉଛି ।
ଅନ୍ୟପଟେ ଏହି ବାଲାଂଦେଶୀ ଶ୍ରମିକ ସକିଲଙ୍କ ସମ୍ପର୍କରେ ଯାଜପୁର ଏସପି କହିଛନ୍ତି, ସେ ଜେଲରୁ ମୁକ୍ତ ହେବା ପରେ ତାଙ୍କ ଦେଶର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ସହ ଯୋଗାଯୋଗରେ ଅଛୁ । ଆବଶ୍ୟକୀୟ କାଗଜପତ୍ର କାମ ସରିଲେ ତାଙ୍କୁ ପଠାଇବା ବ୍ୟବସ୍ଥା କରାଯିବ ।
ତେବେ କେବେ ସକିଲଙ୍କ ଫେରିବା ବାଟ ସୁଗମ ହେଉଛି । କେବେ ବାଂଲାଦେଶ ସରକାର ତାଙ୍କ ନାଗରିକଙ୍କୁ ଫେରାଇ ନେବାକୁ ସାହାଯ୍ୟ କରୁଛନ୍ତି ତାକୁ ଅପେକ୍ଷା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ