ଯାଜପୁର: ପୁଣି ଏକ ଶିଶୁ ଅପପୁଷ୍ଟି ଘଟଣା, ତାହା ମଧ୍ୟରେ ଅଛି ପୁଣି ଏକ ଦିବ୍ୟାଙ୍ଗ ଶିଶୁକନ୍ୟା । ଯାଜପୁର ଜିଲ୍ଲା ଦାନଗଦି ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏକ ଆଦିବାସୀ ପରିବାରର ଦିନ ମଜୁରିଆ ବାବୁଲି ତିରିଆଙ୍କ ଦୁଇଶିଶୁ ଅପପୁଷ୍ଟିର ଶୀକାର ହୋଇଛନ୍ତି । ଦୁଇଶିଶୁ ମଧ୍ୟରୁ ଗୋଟିଏ ଶିଶୁ ଦିବ୍ୟାଙ୍ଗ ହୋଇ ବିଛଣାରେ ପଡିରହିଛି ।
ସ୍ବାସ୍ଥ୍ୟବିଭାଗ, ଜିଲ୍ଲା ପ୍ରଶାସନ କିମ୍ବା ସିଡିପିଓ କାହାର ବି ଏଥିପ୍ରତି ନିଘାନାହିଁ । ସେପଟେ ଅନ୍ୟ ଶିଶୁଟି ଯେତେବେଳେ ୫/୬ମାସର ହୋଇଥିଲା ଶିଶୁକୁ ଛାଡି ମା’ ଆରପାରିକୁ ଚାଲିଗଲେ । ସେହିଦିନ ଠାରୁ ଦୁଇଶିଶୁ ଅଭାବ ଅନାଟନ ମଧ୍ୟରେ ବାପା ବାବୁଲା ପାଖରେ ରହି ଜୀବନ କାଟୁଛନ୍ତି । ପାଖରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ତାଙ୍କ ନାମ ପଞ୍ଜିକରଣ ହୋଇଥିଲେ ମଧ୍ୟ ଶିଶୁ ଦୁହେଁ ସେଥିରୁ କୌଣସି ସୁବିଧା ପାଇପାରୁ ନାହାଁନ୍ତି । ଭଙ୍ଗା ଦଦରା ଘରେ ଭୋକ ଉପାସରେ ପଡି ଶିଶୁ ଦୁଇଟି ଡହଳବିକଳ ଅବସ୍ଥାରେ । ଏବେ ଏହା ଉପରେ ନଜର ପଡିଲା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।
ଏ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ତ୍ରିଜଙ୍ଗା ପଞ୍ଚାୟତର ସୋଲେଇ ଗାଁର ସେହି ଦୁଇଶିଶୁ, ଯେଉଁମାନେ ଅପପୁଷ୍ଟିରେ ଜୀବନ ବିତାଉଛନ୍ତି । ଦୁହିଁଙ୍କ ମଧ୍ୟରେ ଏକ 5 ବର୍ଷର ଦିବ୍ୟାଙ୍ଗ ଶିଶୁକନ୍ୟା ହେଉଛି ଶୁଭଲକ୍ଷ୍ମୀ । ଶିଶୁଟି ଏତେ ଦୁର୍ବଳ ହୋଇଯାଇଛି ଯେ ଖେଳାବୁଲା କରିପାରୁନାହିଁ କି ନିଜେ ବସିପାରୁନାହିଁ । ଦେହସାରା ବ୍ୟାପିଛି ଚର୍ମରୋଗ । ଅନ୍ୟ ଶିଶୁଟି ମଧ୍ୟ ଖୁବ୍ ଦୁର୍ବଳ ।
ସୋଲେଇ ଗ୍ରାମର ବାବୁଲି ତିରିଆ ଓ ତାଙ୍କର ଏହି ଦୁଇଶିଶୁ ଦାରିଦ୍ର୍ୟତାର ତାଡନାରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତହୋଇ ଭୋକ ଉପାସରେ ଦିନ କାଟୁଛନ୍ତି । ଗାଁଟି ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ କେନ୍ଦ୍ରର ନାକ ଅଗରେ ଅବସ୍ଥିତ ଥିଲେ ମଧ୍ୟ କାହାର ବି ଏଥିପ୍ରତି ନିଘାନାହିଁ । କଳିଙ୍ଗନଗର ଶିଳ୍ପାଞ୍ଚଳର ଛାତି ଉପରେ ଏଭଳି ଏକ ଅପପୁଷ୍ଟିର ଚିତ୍ର ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇନପାରିବାରୁ ସିଡିପିଓଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିପାରୁନାହିଁ । ଶିଶୁକନ୍ୟାର ମାଆ ଆଉ ଏକ ପୁଅକୁ ଜନ୍ମ ଦେଇ ପାଞ୍ଚ ମାସ ତଳେ ଆରପାରିକୁ ଚାଲିଗଲେ । ଏଭଳି ସମୟରେ ଶୁଭଲକ୍ଷ୍ମୀ ସମ୍ପୂର୍ଣ୍ଣ ରୂପେ ଅସହାୟ ହୋଇଯାଇଛି । ବାପା ବାବୁଲି ଜଣେ ଦିନ ମଜୁରିଆ । ପତ୍ନୀଙ୍କ ବିୟୋଗ ପରେ ଦୁଇଶିଶୁଙ୍କ ଯତ୍ନ ନେବା ତାଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଝାଟିମାଟି କୁଡ଼ିଆରେ ଦୁଇଶିଶୁ ଦିନରାତି ସବୁବେଳେ ଭୋକ ଉପାସରେ ପଡ଼ି ରହିଛନ୍ତି । ସୂଚନା ଥାଉକି ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତି ବ୍ଲକରେ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା ରହିଥିବା ବେଳେ ଏହି ଦୁଇଶିଶୁ ଏଥିରୁ ବଞ୍ଚିତ ହୋଇଥିବା ଦର୍ଶାଯାଇଛି ।
ପୁଷ୍ଟିହୀନ ଶିଶୁଙ୍କୁ କଟକ ଶିଶୁଭବନରେ ବି ଉପଯୁକ୍ତ ସ୍ବାସ୍ଥ୍ୟସେବା ମିଳିଲା ନାହିଁ । ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦୁଇଶିଶୁଙ୍କ ସହ ବାପାଙ୍କୁ ନିଜ ଘରକୁ ଫେରିବାକୁ ପଡିଛି । ଫେରିବା ବେଳେ ବି ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ବିଳମ୍ବ ରାତିରେ ଦୁଇଶିଶୁଙ୍କୁ କାନ୍ଧରେ ପକାଇ ଝିପିଝିପି ବର୍ଷାରେ ୧୦ କିଲୋମିଟର ରାସ୍ତା ଚାଲିଚାଲି ଘରକୁ ଫେରିଛନ୍ତି ବାବୁଲି ତିରିଆ (Jajpur father walks with ailing girl on shoulder for 10 km) । ବାବୁଲିଙ୍କ ଘର ଦାନଗଦି ବ୍ଲକ ତ୍ରିଜଙ୍ଗା ପଞ୍ଚାୟତ ସୋଲେଇ ଗାଁରେ ।
ଏ ସମ୍ପର୍କରେ ଖବର ପାଇ ଆଜି ଜିଲ୍ଲା ପ୍ରଶାସନର ଏକ ଟିମ୍ ସେଠାରେ ପହଞ୍ଚିଥିଲେ । ଏହି ଦୁଇଶିଶୁଙ୍କୁ ଯାଜପୁର ରୋଡ଼ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହାପରେ ସେଠାରୁ ଏକ ଆମ୍ବୁଲାନ୍ସରେ କଟକ ଶିଶୁଭବନକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେଠାରେ ଅପପୁଷ୍ଟିରେ ପିଡ଼ିତ ଥିବା ଦିବ୍ୟାଙ୍ଗ କନ୍ୟାକୁ ଉପଯୁକ୍ତ ଚିକିତ୍ସାସେବା ମିଳିନଥିଲା । ଶିଶୁଭବନରେ କିଛି ଔଷଧ ଲେଖିଥିଲେ ହେଁ ବାବୁଲି ପାଖରେ ଔଷଧ କିଣିବାକୁ ପଇସା ନଥିଲା । ଶେଷରେ ନିରାଶ ହୋଇ ବାବୁଲି ଶିଶୁଦୁହିଁଙ୍କୁ ସାଥିରେ ଧରି ବର୍ଷା ରାତିରେ ଶିଶୁଭବନରୁ ବାଦାମବାଡି ପର୍ଯ୍ୟନ୍ତ ପ୍ରାୟ 10 କିଲୋମିଟର ରାସ୍ତା ପାଦରେ ଚାଲିଚାଲି ଆସିଥିଲେ ।
ସରକାରଙ୍କର ଏତେସବୁ ଯୋଜନା ଥାଇ ମଧ୍ୟ କେଉଁଠି ଟ୍ରକରେ ଚଢି ତ ଆଉ କେଉଁଠି ପାଦରେ ଚାଲି ଯାଜପୁର ରୋଡରେ ପହଞ୍ଚିଥିଲେ ବାବୁଲି । ସେଥିପାଇଁ ବାବୁଲିଙ୍କର ସ୍ବାସ୍ଥ୍ୟବିଭାଗ, ସିଡିପିଓ ଓ ଜିଲ୍ଲାପ୍ରଶାସନ ଉପରେ ଭରଷା ତୁଟିଗଲା । ନିଜ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ପଡିରହିବେ ଏବଂ ଆଉ କୁଆଡେ ଯିବେନାହିଁ ବୋଲି ବାବୁଲି କହିଛନ୍ତି । ଦୁଇଶିଶୁଙ୍କ ଅସୁବିଧା ପାଇଁ ସ୍ବାସ୍ଥ୍ୟ ବିଭାଗ ସିଡିପିଓ ସରକାର ଦାୟୀ ବୋଲି କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ