ଯାଜପୁର: ବ୍ୟାସନଗର ପୌରାଞ୍ଚଳରେ କୋପଣ୍ଡ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ।
ଆଜି ଅପରାହ୍ନରେ କୋପଣ୍ଡ ଗାଁର ଭଜନ ପରିଡା ଓ ତାଙ୍କ ପରିବାର ଘର ଛାତ ଉପରେ କୌଣସି କାର୍ଯ୍ୟ କରୁଥିବାବେଳେ ହଠାତ ତଳେ ଘରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ତେବେ ନିଆଁ ଲାଗିଥିବା ଦେଖି ଘର ଲୋକ ଓ ପଡ଼ୋଶୀ ନିଆଁ ଲିଭାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।
ଶେଷରେ ଗ୍ରାମବାସୀ ଯାଜପୁର ରୋଡ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ଭଜନଙ୍କର ଏଲିଇଡି ଟିଭି, ଫ୍ରିଜ, ଗ୍ରାଇଣ୍ଡର, ଆଲମାରୀ ଓ ଡ୍ରେସିଙ୍ଗ ଟେବୁଲ ସମେତ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ତହସିଲ କର୍ମଚାରୀ ପହଞ୍ଚି ଅଗ୍ନିକାଣ୍ଡ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ