ଯାଜପୁର: ବେଧଡକ ଚାଲିଛି ଧଳାଜହର କାରବାର । ଯାଜପୁର ଜିଲ୍ଲାର ପୃଥକ ପୃଥକ ଅଞ୍ଚଳରୁ ଜବତ ହୋଇଛି ବ୍ରାଉନ ସୁଗାର । ଏହାସହ ପୋଲିସ ହାତରେ ଧରାପଡିଛନ୍ତି 6 ଅଭିଯୁକ୍ତ । ବୈରୀ ପୋଲିସ ଓ ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ଧଳା ଜହର ଜବତ କରିବା ସହ 4 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଛତିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ଚିନ୍ମୟ ନାୟକ ।
ଗିରଫ ଯୁବକମାନେ ବଡ଼ଚଣା ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ 7.5 ଗ୍ରାମର ବ୍ରାଉନସୁଗାର ସହ ମୋବାଇଲ, ନଗଦ ଟଙ୍କା ଜବତ କରାଯାଇଛି । ଦୀର୍ଘ ଦିନ ଧରି ଏ କାରବାର ଚାଲୁ ରହିଥିବା ବେଳେ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରି 4 ଜଣକୁ ଗିରଫ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଚାଲୁ ରହିଥିବା ଯାଜପୁର ଏସଡିପିଓ କହିଛନ୍ତି ।
ସେହିପରି ଭାବରେ ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ ଦ୍ବାରା ମଧ୍ୟ ଆଉ ଏକ୍ ଡ୍ରଗ୍ସ ଚୋରା କାରବାର ରାକେଟ୍ ଠାବ ହୋଇଥିବା ଜଣାପଡିଛି । ଏହି ରାକେଟର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ଯାଜପୁର ରୋଡ ଏସଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ ସାଢେ 13 ଗ୍ରାମ୍ ବ୍ରାଉନସୁଗାର ସହିତ 6 କିଲୋ 100ଗ୍ରାମ୍ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି ।
3ଲକ୍ଷ 55ହଜାର 7ଶହ ନଗଦ ଟଙ୍କା ସହିତ ସେମାନେ ବ୍ୟବହାର କରୁଥିବା ମୋବାଇଲ୍ ଫୋନ୍ ଗୁଡିକୁ ଜବତ କରିଛି ପୋଲିସ । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଥିବା ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ମୋବାଇଲ୍ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ