ଜଗତସିଂହପୁର: ପାରାଦ୍ୱୀପରେ 18 ରୁ 44 ବର୍ଷ ବୟସ୍କଙ୍କ ପାଇଁ ଆରମ୍ଭ ହେଲା ଟୀକାକରଣ । ଏହି ଅଭିଯାନରେ 17 ହଜାର ଟୀକା ଦିଆଯିବାକୁ ଲକ୍ଷ୍ୟ ରଖିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । ଏହାକୁ ନେଇ ଆଜି ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଏହାକୁ ନେଇ ଜିଲ୍ଲାପାଳ ନିଜେ ସୂଚନା ଦେଇଛନ୍ତି ।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ ଲୋକଙ୍କ ଟୀକାକରଣ କରାଯାଇସାରିଲାଣି । ତେବେ 18 ରୁ 44 ବର୍ଷ ବୟସ ବ୍ୟକ୍ତିଙ୍କ ପାଇଁ ପ୍ରଶାସନ 17 ହଜାର 200 ସହ ଟିକା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପଠାଇବାକୁ ନିଷ୍ପତ୍ତି ନେଇଥିବାବେଳେ ବର୍ତ୍ତମାନ 8 ହଜାର ଟିକା ଜିଲ୍ଲାରେ ପହଞ୍ଚିଛି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାରାଦ୍ୱୀପରେ ଆଜି ଠାରୁ ଯୁବବର୍ଗଙ୍କୁ ଟୀକା ଦେବା ପାଇଁ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକାଦାନ ଆରମ୍ଭ କରାଯାଇଛି । ଆଜିର ଏହି 18 ରୁ 44 ବର୍ଷ ବୟସ୍କଙ୍କ ଟୀକାଦାନ ପାଇଁ ଗତକାଲି ସନ୍ଧ୍ୟାରେ ସ୍ଲଟ ବୁକିଙ୍ଗ କରାଯାଇଥିଲା । ମାତ୍ର 10 ମିନିଟରେ 8 ହଜାର ସ୍ଲଟ ବୁକ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଏହି କାର୍ଯ୍ୟକ୍ରମରେ ନିଜେ ଜିଲ୍ଲାପାଳ ପାରାଦ୍ୱୀପରେ ପହଞ୍ଚି ବ୍ୟବସ୍ଥା ତଦାରଖ କରିବା ସହ ଲୋକଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଜିଲ୍ଲାରେ ଟୀକାକରଣକୁ ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ