ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ନଭେମ୍ବର 3 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
କୋରୋନା ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଚଳିତ ଉପନିର୍ବାଚନରେ ଅଧିକ 117ଟି ବୁଥ କରାଯିବାକୁ ନିଷ୍ପତ୍ତି ହୋଇଛି। ଗତ 2019 ସାଧାରଣ ନିର୍ବାଚନରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ 256ଟି ବୁଥ କରାଯାଇଥିବାବେଳେ ଆସନ୍ତା ଉପନିର୍ବାଚନରେ 373ଟି ବୁଥ କରାଯିବ। ସେହିପରି ତିନୋଟି ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ମୋଟ 2 ଲକ୍ଷ 38 ହଜାର 56 ଜଣ ଭୋଟର ତାଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ 1 ଲକ୍ଷ 14 ହଜାର 428 ଜଣ ମହିଳା ଭୋଟର ଥିବାବେଳେ ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା 28 ଥିବା ଜଣାପଡିଛି ।
ଜିଲ୍ଲାରେ ଉପନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଉପନିର୍ବାଚନ କିପରି ଅବାଧ ଓ ନିରପେକ୍ଷ ହେବ, ତାକୁ ନେଇ ଯୋଜନା ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ