ଜଗତସିଂହପୁର: ନିରୀହ ଗାଁ ଲୋକଙ୍କୁ ପ୍ରଲୋଭିତ କରି ଧର୍ମାନ୍ତରୀକରଣ ଉଦ୍ୟମ । ଧର୍ମ ପରିବର୍ତ୍ତନ ଲାଗି ଲୋକଙ୍କୁ ପ୍ରବର୍ତ୍ତାଉ ଥିବାବେଳେ ୩ ଜଣଙ୍କୁ ଅଟକ ରଖିଲା ବିଶ୍ବ ହିନ୍ଦୁ ପରିଷଦ । ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତର କାଟେ ସିଂ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି । କେତେଜଣ ଖ୍ରୀଷ୍ଟଧର୍ମାବଲମ୍ବୀ ଏକ କୋଠରୀରେ ଗାଁର ୨୦ରୁ ଅଧିକ ମହିଳା ଓ ଛୋଟ ପିଲାଙ୍କୁ ପ୍ରଲୋଭିତ କରି ଧର୍ମ ପରିବର୍ତ୍ତନ କରୁଥିଲେ । ଖବର ପାଇ ହିନ୍ଦୁ ପରିଷଦ କର୍ମକର୍ତ୍ତା ସେମାନଙ୍କୁ ଅଟକ ରଖିବା ପରେ ଜଗତସିଂହପୁର ପୋଲିସକୁ ଜିମା ଦେଇଛନ୍ତି । ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତ କାଟେସିଂ ଗ୍ରାମରେ କିଛି ଖ୍ରୀଷ୍ଟାବଲମ୍ବୀ ବ୍ୟକ୍ତି ଦଳିତ ମହିଳା ଓ ଛୋଟ ପିଲାଙ୍କୁ ଗୋଟିଏ ଘରେ ଏକଜୁଟ କରାଇଥିଲେ । ସେହି ଖ୍ରୀଷ୍ଟାବଲମ୍ବୀଙ୍କ ମଧ୍ୟରେ ଜଣେ କାନାଡାର ନାଗରିକ ଥିଲେ । ସେମାନେ ମହିଳା ଓ ପିଲାଙ୍କୁ ଖ୍ରୀଷ୍ଟଧର୍ମ ସମ୍ପର୍କରେ ବୁଝାଇବା ସହିତ ନିଜର ଧର୍ମ ପରିବର୍ତ୍ତନ କରିବାକୁ କୁଆଡେ ପ୍ରବର୍ତ୍ତାଇ ଥିଲେ । ସମ୍ପୃକ୍ତ ଖ୍ରୀଷ୍ଟାଧର୍ମାବଲମ୍ବୀମାନେ କିଛି ଗୋ ମାଂସ ରୋଷେଇ କରି ରଖିଥିବାର ମଧ୍ୟ ଜଣାପଡିଥିଲା । ଏହା ବାବଦରେ କାଟେ ସିଂ ଗ୍ରାମର କିଛି ଲୋକ ଜାଣିବା ପରେ ସେମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଦୁଇ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ କେତେକ ଗ୍ରାମବାସୀ ବିଶ୍ବହିନ୍ଦୁ ପରିଷଦକୁ ଧର୍ମାନ୍ତରୀକରଣ ହେଉଥିବାର ଖବର ଦେଇଥିଲେ ।
ଖବର ପାଇ ବିଶ୍ବହିନ୍ଦୁ ପରିଷଦ କର୍ମକର୍ତ୍ତା ସେଠାରେ ପହଞ୍ଚି ତିନି ଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ଠାରୁ କିଛି ଧର୍ମ ପୁସ୍ତକ ଓ ଟଙ୍କା ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ଜଗତସିଂହପୁର ପୋଲିସ ତିନି ଜଣକୁ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଥିଲା । ଏହାସହ ସେମାନେ ବ୍ୟବହାର କରୁଥିବା ନମ୍ବର ବିହୀନ ବୋଲେରୋ ଗାଡି ଓ ଦୁଇଟି ବାଇକ ଜବତ କରି ଥାନାକୁ ଆଣିଥିଲେ । ତେବେ ଏହି ଘଟଣା ସମ୍ପର୍କରେ ଜଗତସିଂହପୁର ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଧର୍ମାନ୍ତରୀକରଣ ଅଭିଯୋଗ ଆସିଥିବା ଲୋକମାନେ ଅଜ୍ଞାତ ସ୍ଥାନରେ ଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଜଗତସିଂହପୁର