ଜଗତସିଂହପୁର: ଆଳିପିଙ୍ଗଳ ସବଜେଲରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ୍ । କଏଦୀ ଜଣଙ୍କ କିପରି ଫେରାର ହେଲେ ତାକୁ ନେଇ ଜଗତସିଂହପୁର ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ସୂଚନା ଅନୁସାରେ, ବାଲିକୁଦା ଥାନା ଅନ୍ତର୍ଗତ ଗଡେଇଗିରି ଗ୍ରାମର କମଳାକାନ୍ତ ସାହୁଙ୍କ ପୁଅ ଜୀବନ ଜ୍ୟୋତି ସାହୁ (24) ପୋସ୍କୋ ଆନ୍ଦୋଳନରେ ସାମିଲ ହୋଇଥିଲେ । ଯାହାକୁ ନେଇ ପୋଲିସ ତାଙ୍କୁ ଗିରଫ କରିଥିଲା ।
ପରେ ସେ ୨୦୨୦ ଡିସେମ୍ବର ୩୦ରେ ଆଳିପିଙ୍ଗଳ ଜେଲରେ ବିଚାରାଧୀନ କଏଦୀ ଭାବେ ସଜା କଟୁଥିଲେ । ଆଜି(ରବିବାର) ମଧ୍ୟାହ୍ନ ଭୋଜନ ପରେ ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳିଦେଇ ଜେଲ କାନ୍ଥ ଡେଇଁ ସେ ଫେରାର ହୋଇଯାଇଥିବା ଜଣାପଡିଛି । ଏହାପରେ ଜଗତସିଂହପୁର ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଜେଲର ସୁରକ୍ଷା ବଳୟ ଭେଦ କରି କିପରି କଏଦୀ ଫେରାର ହେଲା, ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ