ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଏପ୍ରିଲ 1ରେ ପାଳିତ ହେବାକୁ ଯାଉଥିବା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସକୁ ପାଳନ ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନିଷ୍ପତ୍ତି ହୋଇଛି । ଜିଲ୍ଲାରେ କୋଭିଡର ଦ୍ଵିତୀୟ ଲହରୀ ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ମାସରେ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳନ ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା ।
5 ଦିନ ପରିବର୍ତ୍ତେ 3 ଦିନ ପାଳନ କରାଯାଇଥାନ୍ତା । କିନ୍ତୁ, ରାଜ୍ୟ ଓ ଜିଲ୍ଲାରେ କରୋନାର ଦ୍ଵିତୀୟ ଲହରୀ ଆସିବାର ସମ୍ଭାବନା ଥିବାରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । 1993 ଅପ୍ରେଲ 1ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଜିଲ୍ଲା ଗଠନର ଶିଳାନ୍ୟାସ କରିଥିଲେ । ସେହିଦିନ ଠାରୁ ଜିଲ୍ଲା ପ୍ରତିଷ୍ଠା ମହୋତ୍ସବ ପାଳନ ହୋଇ ଆସୁଥିଲା । ଗତ ବର୍ଷ କରୋନା କାରଣରୁ ଏହାକୁ ବନ୍ଦ କରି ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ପାଳନ ନକରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ