ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ପାଳଧୁଆ ବନ୍ଧ ନିକଟରେ ଅଘଟଣ । ଜଣେ ଇଞ୍ଜିନିୟରିଂ ଛାତ୍ର ସ୍ଥାନୀୟ ଅଳକା ନଦୀରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଯିବାରୁ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଅଲଣା ଗାଁର ଅଭିଳାଷ ସାହୁ । ଅସାବଧାନତା ଯୋଗୁଁ ନଦୀରେ ବୁଡ଼ି ଯିବାପରେ ଅଭିଳାଷ ନିଜକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ ।
ସୂଚନା ଅନୁଯାୟୀ, ଇଞ୍ଜିନିୟରିଂ ଛାତ୍ର ଅଭିଳାଷ ଗତକାଲି(ଶୁକ୍ରବାର) ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ବରଗୁଡିପଡ଼ା ସ୍ଥିତ ମାମୁଁ ଘରକୁ ଯାଇଥିଲେ । ମଧ୍ୟାହ୍ନରେ ସାଙ୍ଗ ମାନଙ୍କ ସହ ପାଳଧୁଆ ବନ୍ଧ ନିକଟରେ ଅଳକା ନଦୀରେ ଗାଧୋଉଥିବା ବେଳେ ପାଣିରେ ହଠାତ ବୁଡି ଯାଇଥିଲେ ।
ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଦିନ ତିନିଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ