ଜଗତସିଂହପୁର: ଜିଲ୍ଲାପାଳଙ୍କ ବିରୋଧରେ ଅପପ୍ରଚାର ପ୍ରତିବାଦ କରି ସ୍ଥାନୀୟ ଏରସମା ଗଡକୁଜଙ୍ଗ ପଞ୍ଚାୟତ ସ୍ବପ୍ନା ମହାସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏକ ମହିଳା ସମାବେଶ ମାଧ୍ୟମରେ ଜିଲ୍ଲାପାଳଙ୍କ ବିରୋଧରେ କରା ଯାଉଥିବା ଅପପ୍ରଚାରକୁ ପ୍ଲାକାର୍ଡ ଧରି ଏହି ସମାବେଶରେ ସାମିଲ ହେବାକୁ ଆହ୍ବାନ ଦେବାସହ ଉକ୍ତ ଘଟଣାର ଘୋର ନିନ୍ଦା କରିଛନ୍ତି ବିକ୍ଷୋଭକାରୀ ।
ସୂଚନା ଅନୁଯାୟୀ ଗତ ୨୭ ତାରିଖରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଗଡକୁଜଙ୍ଗ ଗସ୍ତରେ ଆସି ଥିବାବେଳେ କିଛି ମହିଳା ସ୍ବପ୍ନା ମହାସଙ୍ଘର ନିର୍ବାଚନ ସମ୍ପର୍କରେ ଆଲୋଚନା ସମୟରେ ଅଭିଯୋଗ ଶୁଣି ନ ଥିବା ଓ ଅଶାଳୀନ ମନ୍ତବ୍ୟ ଅଭିଯୋଗ କରି ଗତ ୩୦ ତାରିଖରେ ଜିଲ୍ଲାପାଳଙ୍କ ର କୁଶ ପୁତ୍ତଳିକା ଦାହ କରିଥିଲେ । ଏହା ଜିଲ୍ଲାପାଳଙ୍କ ବିରୋଧରେ ଏକ ଅପପ୍ରଚାର ବୋଲି ସ୍ବପ୍ନା ମହାସଙ୍ଘର ସଭ୍ୟମାନେ ଗଡ କୁଜଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ୩୦ତାରିଖ ଘଟଣାର ତୀବ୍ର ପ୍ରତିବାଦ କରିବା ସହ ଯେଉଁମାନେ ଏଭଳି ଅପପ୍ରଚାର କରୁଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।
ଅନ୍ୟପଟେ ଗଡକୁଜଙ୍ଗ ସରପଞ୍ଚ ସମ୍ପଦ ବାରିକଙ୍କ ସମେତ ଗ୍ରାମର ମୁରବୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ କିଛି ମହିଳାମାନେ ଉଦ୍ଦେଶ୍ୟମୂଳକ ଭାବେ ଜିଲ୍ଲାପାଳଙ୍କୁ ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରୁଥିବା ପ୍ରକାଶ କରି ଘଟଣାର ନିନ୍ଦା କରିଥିଲେ । ଏହି ଅବସରରେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଜିଲ୍ଲାପାଳ ଗଡକୁଜଙ୍ଗ ପଞ୍ଚାୟତର ବିକାଶର ସ୍ବପ୍ନ ଦେଖୁ ଥିବାବେଳେ ତାଙ୍କ ବିରୁଦ୍ଧରେ ଅଯଥା ଅପପ୍ରଚାର ଘୋର ନିନ୍ଦନୀୟ ବୋଲି ଗଡକୁଜଙ୍ଗ ସରପଞ୍ଚ ସମ୍ପଦ ବାରିକ କହିଛନ୍ତ l
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ