ପାରାଦ୍ବୀପ: ମହାନଦୀର ସୁରକ୍ଷା ପାଇଁ ପାରାଦ୍ୱୀପରେ ଜଳ ସତ୍ୟାଗ୍ରହ । ବୁଧବାର ସକାଳ 9ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମହାନଦୀ ବଞ୍ଚାଅର କର୍ମକର୍ତ୍ତା ମାନେ ନିକଟସ୍ଥ ଚଉମୁହଁଣୀ ନିକଟରେ ସତ୍ୟାଗ୍ରହ କରିଥିଲେ । ମହାନଦୀ ଓଡ଼ିଶାର ଜୀବନ ରେଖା ହୋଇଥିବା ବେଳେ ଛତିଶଗଡ଼ ସରକାର ମହାନଦୀକୁ ହତ୍ୟା କରିବାର ଷଡଯନ୍ତ୍ର ରଚିଛନ୍ତି ।
ଛତିଶଗଡ଼ର କଲମା ବ୍ୟାରେଜରୁ ତୁରନ୍ତ ଓଡିଶା ପଟକୁ ଜଳ ଛାଡିବା ପାଇଁ ନିବେଦନ କରାଯାଇଛି । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, ‘ଯେ ନଦୀର ପ୍ରାକୃତିକ ପ୍ରବାହକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି । ଯାହା କାର୍ଯ୍ୟକାରୀ ହେଉନାହିଁ । ନଦୀର ସର୍ବନିମ୍ନ ଜଳ ପ୍ରବାହ, ପରିବେଶ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇ ନାହାଁନ୍ତି ।
ମହାନଦୀ ଟ୍ରିବୁନାଲ ମଧ୍ୟ ୪ବର୍ଷ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଫଳରେ ମହାନଦୀ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ମହାନଦୀକୁ ନେଇ ରାଜ୍ୟ ସରକାର ଗମ୍ଭୀରତାର ସହ ବିଚାର କରିବାକୁ ନିବେଦନ କରାଯାଇଛି । ପୂର୍ବରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ନଦୀର ପ୍ରବେଶ ସ୍ଥାନ ସୁଖାସୋଢାରୁ ଆରମ୍ଭ ହୋଇଥିବା ବେଳେ ପାରାଦ୍ୱୀପର ମହାନଦୀ ମୁହାଁଣରେ ଜଳ ସତ୍ୟାଗ୍ରହ କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ