ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ଏବେ ବାଟବଣା ହୋଇଛି । ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁଁ କାମ ଆଗେଇ ପାରୁନଥିବା ନେଇ ଅଭିଯୋଗ ହୋଇଛି । ମନ୍ଦିରର ଚତୃପାର୍ଶ୍ଵକୁ ଭାଙ୍ଗି ଦିଆଯାଇ ଥିବାରୁ ଭଗ୍ନ ସ୍ତୁପରେ ପରିଣତ ହୋଇଛି ମା ଶାରଳାଙ୍କ ମନ୍ଦିର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ସହ ମନ୍ଦିର ସେବାୟତ ।
ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠ ଏବେ ଭଗ୍ନ ସ୍ତୁପରେ ପରିଣତ ହୋଇଛି । କୁଢ଼କୁଢ଼ କଂକ୍ରିଟ ଏଣେତେଣେ ପଡିରହି ଥିବାରୁ ଶ୍ରଦ୍ଧାଳୁ ଭକ୍ତ ମନ୍ଦିର ଦର୍ଶନରେ ବାଧା ସୃଷ୍ଟି ହେଉଛି। ମନ୍ଦିର ସୌନ୍ଦର୍ଯ୍ୟ କରଣ ଆଳରେ ମନ୍ଦିର ପରିବେଶ କ ନଷ୍ଟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ମନ୍ଦିରର ସେବକ। ରାଜ୍ୟ ସରକାର ଗତ 2022 ଜୁନ ମାସରେ ଶାରଳା ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ 42 କୋଟି ଟଙ୍କା ମଞ୍ଜୁର କରିଥିଲେ। 5t ସଚିବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ସେବକ ମାନଙ୍କ ସହ ଆଲୋଚନା କରିଥିଲେ। ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରି ଖୁବ ଶୀଘ୍ର କାମ ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜୁନ 2 ତାରିଖ 2022 ରେ ଭିଡିଓ କନ୍ଫରେନସ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିବା ସହ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସମୟରେ କହିଥିଲେ।
ଏହାପରେ ଜମି ଅଧିଗ୍ରହଣ ମନ୍ଦିର ଚତୃପାର୍ଶ୍ଵ ଦୋକାନ ଉଚ୍ଛେଦ, ଜମି ଅଧିଗ୍ରହଣ ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିଲା । ଏଥିରେ ଶହେରୁ ଅଧିକ ଦୋକାନ ଗୃହକୁ ଉଚ୍ଛେଦ କରାଯିବା ସହ ଦୁଇଟି ଧର୍ମଶାଳାକୁ ମଧ୍ୟ ମାଟିରେ ମିଶାଇ ଦିଆଯାଇଥିଲା । ମନ୍ଦିରର ପୂର୍ବ ଓ ଦକ୍ଷିଣ ପାଚେରୀକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଥିଲା। ଏଗୁଡିକ ଭାଙ୍ଗି ଦିଆଯିବା ପରେ ସେଗୁଡିକ ମାସ ମାସ ଧରି ସେହିଭଳି ସେହି ସ୍ଥାନରେ ପଡି ରହିଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେବାୟତମାନେ ଅଭିଯୋଗ କରିଛନ୍ତି," ସରକାର ହୁଅନ୍ତୁ କି ଜିଲ୍ଲା ପ୍ରଶାସନ କାମ ତ୍ୱରାନ୍ୱିତ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଯେଉଁ ଠିକାଦାର ସଂସ୍ଥା ଏହି କାର୍ଯ୍ୟ ପାଇଁ ଠିକା ନେଇଛନ୍ତି ସେ ସଂସ୍ଥା ଏହାକୁ ଜେସିବି ଲଗାଇ ଭାଙ୍ଗିଦେବା ପରେ ତାଙ୍କର ଆଉ ଦେଖା ମିଳୁନାହିଁ। ଫଳରେ ରାସ୍ତାରେ ଇଟା, ବାଲି, ଭଙ୍ଗା କଂକ୍ରିଟରେ ପଡି ରାସ୍ତା ଅବରୋଧ ହେବା ସହ ଶୃଙ୍ଖଳିତ ଦର୍ଶନରେ ମଧ୍ୟ ବାଧା ସୃଷ୍ଟି ହେଉଛି।"
ଏହା ମଧ୍ୟ ପଢନ୍ତୁ: Development of Sarala Temple: ମାଷ୍ଟରପ୍ଲାନ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ତେବେ କେଉଁ କାରଣରୁ ମନ୍ଦିର କାର୍ଯ୍ୟ ଧିମେଇଛି ତାହାକୁ ନେଇ ସେବାୟତମାନେ ପ୍ରଶ୍ନ କରିଛନ୍ତି । ମନ୍ଦିର ପରିସରରେ ଥିବା ଶହେରୁ ଅଧିକ ଦୋକାନୀ ଦୋକାନ କରି ସେମାନଙ୍କ ପରିବାର ପ୍ରତି ପୋଷଣ କରୁଥିଲେ । କିନ୍ତୁ ପ୍ରଶାସନ ସେମାନଙ୍କୁ ଥଇଥାନ ନକରି ତରବରିଆ ଭାବେ ଉଚ୍ଛେଦ କରିବା ସହ ଦୋକାନ ଗୃହଗୁଡିକୁ ଭାଙ୍ଗି ଦେଲେ । ଏହା ମଧ୍ୟରେ ଦୀର୍ଘ 9 ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ହେବା ତ ଦୂରର କଥା ଭଙ୍ଗା ଯାଇଥିବା କଂକ୍ରିଟକୁ ଉଠା ଯାଇନଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେବା ସହିତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିବେଦନ କରାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର