ଜଗତସିଂହପୁର: ବାଲିକୁଦା ପୂର୍ତ୍ତ ବିଭାଗ ଅଧୀନରେ ଥିବା ଶିଖରଘାଟ-ଜଗତସିଂହପୁର ମୁଖ୍ୟ ରାସ୍ତା କାମରେ ବିଭିନ୍ନ ଅନିୟମିତତା ଦେଖିବାକୁ ମିଳିଛି । ନିୟମିତ ହଜାର ହଜାର ଲୋକ ଯାତାୟତ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହେଉଛି । ଏହାକୁ ନାଉଗାଁ ବ୍ଲକର 14ଟି ପଞ୍ଚାୟତର ଲୋକେ ସମସ୍ୟାରେ ପଡୁଛନ୍ତି ।
ଏହି ରାସ୍ତାକାମ ନିମ୍ନମାନର ହେବା ସହ ବିଭିନ୍ନ ସ୍ଥାନରେ ଖୋଳାଯାଇ ଡଷ୍ଟ ପକାଯାଇଛି । ଗତ ଏପ୍ରିଲ ମାସରୁ ଡଷ୍ଟ ପଡିଥିଲେ ମଧ୍ୟ ସେଥିରେ ପାଣି ସିଞ୍ଚନ କରାଯାଉନାହିଁ । ଯାହା ଦ୍ବାରା ଡଷ୍ଟ ଗୁଡିକ ଏଣେତେଣେ ଉଡୁଥିବା ଦେଖିବାକୁ ମିଳିଛି । ଏପରିକି ଶ୍ବାସ ଜନିତ ସମସ୍ୟା ସୃଷ୍ଟି କରୁଛି । କାମ ନିମ୍ନମାନର ହେଉଥିବା ଅଭିଯୋଗ ଆଣିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ମାଟିଆଣି ପକାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଠିକା କମ୍ପାନୀ ଲାଭଖୋର ମନୋବୃତ୍ତିରେ ଜେସିବି ଲଗାଇ ରାସ୍ତା ତଳୁଖୋଳି ରାସ୍ତା ଉପରେ ପକାଉଛି । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ଟେଣ୍ଡର ଗତ 2017ରେ କଟକର ରାଉତ କଷ୍ଟ୍ରକସନ କମ୍ପାନୀକୁ ଦିଆଯାଇଥିଲା। ଏହି ରାସ୍ତାର ଲମ୍ବ 9 କିଲୋମିଟର 900 ମିଟର ଥିବାବେଳେ ଏହାର ବ୍ୟୟ ଅଟକଳ 4କୋଟି 39 ଲକ୍ଷ 9ଶହ 50 ଟଙ୍କା ରଖାଯାଇଛି ।
ରାସ୍ତା ନିର୍ମାଣରେ ଅନିୟମିତତାକୁ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନୃସିଂହଚରଣ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଏସମ୍ପର୍କରେ କିଛି ଲିଖିତ ଅଭିଯୋଗ ଆସିନାହିଁ। ଆପଣଙ୍କ ଦ୍ବାରା ମୋ ନଜରକୁ ଆସିଛି । ତେବେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ