ଜଗତସିଂହପୁର: ବାଲିକୁଦା ତହସିଲ ଅଧୀନରେ କାର୍ଯ୍ୟରତ ଆରଆଇ ସୁଶାନ୍ତ ସ୍ବାଇଁଙ୍କୁ ମାଡ଼ ଘଟଣାରେ ଆନ୍ଦୋଳନ ଜୋରଦାର ହୋଇଛି । ଆନ୍ଦେଳନକାରୀ ଜିଲ୍ଲା ଅମଲା ସଂଘର କର୍ମକର୍ତ୍ତା ମାନେ ତହସିଲ ଆଗରେ ଧାରଣାରେ ବସିଥିଲେ । ଗତ ତିନି ଦିନ ହେବ ଜିଲ୍ଲା ବ୍ୟାପି ଆନ୍ଦୋଳନ ଆରମ୍ଭ କରିଛି ଜିଲ୍ଲା ଅମଲା ସଂଘ । ଆଜି ଅପରାହ୍ନରେ ଉକ୍ତ ଆନ୍ଦୋଳନରେ ରାଜ୍ୟ କ୍ଷେତ୍ର କର୍ମଚାରୀ ସଂଘ ଯୋଗ ଦେଇଛନ୍ତି ।
ଗତ ୨୦ ତାରିଖରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଅଡ଼ୁଆ ବଢ଼ିବାରେ ଲାଗିଛି । ତହସିଲଦାରଙ୍କ ଉପସ୍ଥିତିରେ ବରମୁଣ୍ଡଳୀ ପଞ୍ଚାୟତ କେରୁଆପଡାର ସୁବାସ ନାୟକ ନାମକ ଜଣେ ରାଜନୈତିକ ବ୍ୟକ୍ତି, ଆରଆଇ ସ୍ବାଇଁଙ୍କୁ ମାଡ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିଥିଲେ ।
୨୦ ତାରିଖ ଦିନ ବାଲିକୁଦା ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ ତାର ପ୍ରତିବାଦରେ ଜିଲ୍ଲା ଅମଲା ସଂଘ, ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଓ ଓଷ୍ଟା ସଂଘର କର୍ମକର୍ତ୍ତା ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସିଛନ୍ତି । ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀଙ୍କ ଆଗରେ ଏଭଳି ଘଟଣା ଘଟିଥିବାରୁ କର୍ମଚାରୀ ମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ