ପାରାଦୀପ: ଦେଶରେ କୋରୋନାର ଦ୍ରୁତ ସଂକ୍ରମଣ ଓ ଅକ୍ସିଜେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାରାଦ୍ବୀପ ଇଫ୍କୋ ସାର କାରଖାନା ପରିସରରେ 150 m3/hr କ୍ଷମତା ବିଶିଷ୍ଟ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭିଡିଓ କନ୍ଫରେନ୍ସ ଜରିଆରେ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି ।
ଏହି ବୈଠକରେ ଇଫକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜେ କେ ପଟେଲ, ଡିଜିଏମ ପି କେ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ଲାଣ୍ଟ ପାଇଁ ସମସ୍ତ ମଞ୍ଜୁରୀ ମିଳି ସାରିଥିବା କହିଥିଲେ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଦୈନିକ 46,7 ଲିଟର କ୍ଷମତା ବିଶିଷ୍ଟ 520 ସିଲିଣ୍ଡର ଓ 10 ଲିଟର କ୍ଷମତା ବିଶିଷ୍ଟ 200 ସହ ସିଲିଣ୍ଡର ଉତ୍ପାଦନ ହୋଇ ପାରିବ । ଏହି ପ୍ଲାଣ୍ଟରେ 7 କୋଟି 20 ଲକ୍ଷ ଟଙ୍କା ବ୍ୟୟ କରାଯିବା ସହ ଏହା ଆସନ୍ତା ଜୁନମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି ।
ତେବେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଜିଲ୍ଲା ଓ ଜିଲ୍ଲା ବାହାରେ ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କ ଅମ୍ଳଜାନ ଆବଶ୍ୟକତା ପୂରଣ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଦେଶରେ ଅମ୍ଳଜାନ ଅଭାବରୁ ବହୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ