ଜଗତସିଂହପୁର: ନିଆଳି ପରେ ଏବେ ଜଗତସିଂହପୁରରେ ମୁଣ୍ଡ ନେଉଛି ଅଜଣା ଜନ୍ତୁ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ସଂଖାରି ସାହିରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି । ଜଣେ ବ୍ୟକ୍ତିଙ୍କ ଗୁହାଳରେ ୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫ଟି ମେଣ୍ଢା ଗୁରୁତର ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ମଙ୍ଗୁଳି ପଞ୍ଚାୟତର ଶଙ୍ଖାରି ସାହି ଠାରେ ଏକ ଅଜଣା ଜନ୍ତୁ ଗତକାଲି ବିଳମ୍ବିତ ରାତ୍ରରେ ସେହି ଗ୍ରାମର ପ୍ରଫୁଲ୍ଲ ବାରିକଙ୍କ ଗୁହାଳରେ ପଶି ୧୪ଟି ମେଣ୍ଡାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ୯ଟି ମେଣ୍ଢାର ମୃତ୍ୟୁ ହୋଇଯାଇଥିବା ବେଳେ ୫ଟି ମେଣ୍ଢା ଗୁରୁତର ହୋଇଛନ୍ତି । ତେବେ ମୃତ ମେଣ୍ଢା ଗୁଡିକ ତଣ୍ଟି କଣା ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ପଶୁପାଳନ କରିଥିବା ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ଏହା ମଧ୍ୟ ପଢନ୍ତୁ: Budget Session: ଭଦ୍ରକରେ କେତେ ହିତାଧିକାରୀଙ୍କୁ ମିଳୁଛି ଭତ୍ତା, ଉତ୍ତର ରଖିଲେ ମନ୍ତ୍ରୀ
ଗତ ଦୁଇଦିନ ତଳେ କଟକ ଜିଲ୍ଲା ନିଆଳି ଠାରେ ମଧ୍ୟ ଏହି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ପୁର୍ନବାର ଏଭଳି ଅନୁରୂପ ଘଟଣା ଶଙ୍ଖାରିସାହି ଠାରେ ଘଟିବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଖବରପାଇ ସ୍ଥାନୀୟ ସରପଞ୍ଚ ନିରଞ୍ଜନ ସେଠି ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗକୁ ଅବଗତ କରିଛନ୍ତି । ଘଟଣାସ୍ଥଳରେ ପ୍ରାଣୀସମ୍ପଦ ବିଭାଗ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ଅଜଣା ଜନ୍ତୁ ବିରିଡିର ଶଙ୍ଖାରିସାହିକୁ କିପରି ଆସିଲା ଓ କେଉଁଭଳି ଭାବେ ଏତେ ସଂଖ୍ୟକ ମେଣ୍ଢାକୁ ଆକ୍ରମଣ କଲା ତାକୁ ନେଇ ବନ ବିଭାଗ ଖୋଳ ତାଡ଼ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, ୪ ଦିନରେ ୨୯ ମେଣ୍ଢାଙ୍କ ମୃତ୍ୟୁ
ପ୍ରକାଶଥାଉକି, କଟକ ଜିଲ୍ଲା ନିଆଳି କଣ୍ଟପଡା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା ଜନ୍ତୁର ଭୟାବହତା ଦେଖିବାକୁ ମିଳିଛି । ଅଜଣା ଜନ୍ତୁ ଆକ୍ରମଣରେ ଚାରି ଦିନ ଭିତରେ ଏଠାରେ ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଜଣାଜନ୍ତୁ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ । ୪ ଦିନରେ ୨୯ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଇଟିଭି ଭାରତ, ଜଗତସିଂହପୁର