ଜଗତସିଂହପୁର: ଜଗତସିଂହପୁରରେ ଜୀଅନ୍ତା ଜଳିଯାଇଥିବା ଯୁବକଙ୍କ ମିଳିଛି ପରିଚୟ । ବାଲିକୁଦା ଥାନା ଅନ୍ତର୍ଗତ ଦା’ଗାଁର ଏକ ସ୍କୁଲ ବାରଣ୍ଡାରୁ ମିଳିଥିଲା ଜୈନିକ ଯୁବକଙ୍କ ଅର୍ଦ୍ଦଦଗ୍ଧ ଶରୀର । ପୋଲିସ ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳର ଯୁବକ କୃଷ୍ଣଚନ୍ଦ୍ର ଚମ୍ପତିରାୟ । ଦୀର୍ଘ ଦିନ ଧରି ଅହମଦାବାଦର ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଜଗତସିଂହପୁରର ଜଣେ ବିବାହିତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ମଧୁ ନାମଙ୍କ ଯୁବତୀଙ୍କ ସହ କୃଷ୍ଣଚନ୍ଦ୍ରଙ୍କର ସମ୍ପର୍କ ରହିଥିବା ପୋଲିସକୁ କହିଛନ୍ତି ଯୁବକଙ୍କ ପତ୍ନୀ ।
ତାଙ୍କ ସ୍ବାମୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ମଧୁ ଓ ତାର ପରିବାର ସାମିଲ ଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପତ୍ନୀ । ଏନେଇ ବାଲିକୁଦା ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ମାମଲାକୁ ଗୁରୁତର ଭାବେ ନେବା ସହ ତଦନ୍ତ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ