ସମ୍ବଲପୁର: ଛତିଶଗଡ଼ ସରେଇପାଲି ଥାନାରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ତାଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ଅଛନ୍ତି । ଏହା ପୂର୍ବରୁ ନବ ଦାସଙ୍କ ମାଲିକାନାରେ ଥିବା ଏକ ହୋଟେଲରେ ପୋଲିସ ଅଚାନକ ସର୍ଚ୍ଚ କରିଥିଲା । ବିଶାଲ, ଆଇଜିଙ୍କୁ ଭେଟି ସୁରକ୍ଷା ମାଗିଥିବା ବେଳେ, ନିଜ ଭାଇଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ପ୍ରଶାସନ ଉପରେ ବର୍ଷିଛନ୍ତି ଦୀପାଳି ଦାସ ।
ବିଶାଳ ଦାସ ଅଟକ:
ଛତିଶଗଡ଼ ମହାସମୂନ୍ଦ ଜିଲ୍ଲା ସରେଇପାଲି ଥାନାରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ । ତାଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ଅଛନ୍ତି । ଥାନା ଭିତରେ ଥାଇ ବିଶାଳ ଦାସ ଏକ ଭିଡିଓ ଜାରି କରି କହିଛନ୍ତି, "ଗୋଟିଏ ଦିନ ହୋଇଛି ମୁଁ ଆମ ଆଇଜିଙ୍କୁ ଲେଖିକି ଦେଲି ଯେ ମୋର ଜୀବନକୁ ବିପଦ ଅଛି । ଆଜି ଛତିଶଗଡରେ ଏହି ଥାନାରେ ଆମର ସମିତି ସଭ୍ୟ ଓ ସରପଞ୍ଚମାନଙ୍କୁ ବେଆଇନ ଭାବେ ଅଟକ ରଖାଯାଇଛି । ରାତିର ୨ଟାରୁ ଆମେ ଏଠାରେ ବସିଛୁ । ମୋର ଅନୁରୋଧ ବିଜେପି ସରକାରଙ୍କୁ ଆମର ଡିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଡେମୋକ୍ରାସି ଚଲାନ୍ତୁ ନାହିଁ । ଲୋକମାନେ ଭୋଟ ଦେଇଛନ୍ତି, ଆପଣମାନେ ଆମକୁ ସାହାଯ୍ୟ କରନ୍ତୁ ଆଉ ଓଡିଶାବାସୀଙ୍କୁ ସାହାଯ୍ୟ କରନ୍ତୁ l "
ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କୁ ନବୀନଙ୍କ ଚିଠି । ବିରୋଧୀ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ତୁରନ୍ତ ମୁକ୍ତ କରିବା ପାଇଁ ଚିଠି ଲେଖିଛନ୍ତି । ନବୀନ ଚିଠିରେ ଲେଖିଛନ୍ତି ଯେ ‘‘ଝାରସୁଗୁଡା ଜିଲ୍ଲା କିରିମିରା ବ୍ଲକର ପଞ୍ଚାୟତ ପ୍ରତିନିଧି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମହସାମୁଦ ଜିଲ୍ଲା ସଢେଇପାଲି ଥାନାରେ ଛତିଶଗଡ ପୋଲିସ ଅଟକ ରଖିଛି । ସେମାନେ ଆଜି ସକାଳ ସାଢେ 10ଟା ସମୟରେ ବ୍ଲକର ଅନାସ୍ଥା ଭୋଟରେ ସାମିଲ ହେବାର ଥିଲା । କିନ୍ତୁ ଗତକାଲି ମଧ୍ୟରାତ୍ରିରୁ ସେମାନଙ୍କ ସହ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ପୁଅ ବିଶାଲ ଦାସ ଥାନାରେ ଅଟକ ଥିବାରୁ ସେମାନେ ଅନାସ୍ଥା ଭୋଟରେ ସାମିଲ ହୋଇପାରି ନଥିଲେ’’ ।
ନବୀନ ଆହୁରି ଲେଖିଛନ୍ତି ‘‘ମୁଁ ଅନୁରୋଧ କରିବି ଯେ ଏହି ଘଟଣାର ଅନୁସନ୍ଧାନ କରି ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ । ସେହିପରି ସେମାନେ ଓଡିଶା ସୀମା ଦେଇ ଆସୁଥିବାରୁ ତାଙ୍କର ନିରାପଦ ଯାତ୍ରା ଆଶା କରିବି । କାରଣ ଅଟକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି’’ ।
ଭାଇଙ୍କ ସୁରକ୍ଷା ଦାବି କଲେ ଦୀପାଳି :
ନବ ଦାସଙ୍କ ଝିଅ ଦୀପାଳି ଦାସ କହିଛନ୍ତି, "ଗତକାଲି ମୋ ଭାଇ ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲା । ତାକୁ ଛତିଶଗଡ଼ ପୋଲିସ ଉଠାଇ ନେଇଛି । ରାଜ୍ୟ ସରକାରଙ୍କୁ ଅନୁରୋଧ ବିଶାଲକୁ ୧ ଘଣ୍ଟା ଭିତରେ ଛାଡନ୍ତୁ । ନଚେତ ମୋ ଭାଇର ଯଦି କିଛି ହୁଏ ସେଥିପାଇଁ ଛତିଶଗଡ଼ ପୋଲିସ, ଓଡ଼ିଶା ପୋଲିସ, ଝାରସୁଗୁଡ଼ା ଏସପି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟୀ ରହିବେ ।"
![VISHAL DAS SEEKS PROTECTION](https://etvbharatimages.akamaized.net/etvbharat/prod-images/10-01-2025/od-sam-01-bishal-das-detained-in-chhatishgarh-avb-7202776_10012025083437_1001f_1736478277_1064.jpg)
ସୁରକ୍ଷା ମାଗିଥିଲେ ବିଶାଲ:
ଗତକାଲି(ଗୁରୁବାର) ସନ୍ଧ୍ୟାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ । ଆଇଜିଙ୍କୁ ଭେଟିବା ସହ ସେ କହିଥିଲେ, "ମୋତେ ଝାରସୁଗୁଡା ପୋଲିସକୁ ଡର ଲାଗୁଛି, ମୋତେ ସୁରକ୍ଷା ଦିଆଯାଉ । ବିନା କୌଣସି ସର୍ଚ୍ଚ ଓ୍ବାରେଣ୍ଟରେ ପୋଲିସ ମୋ ପ୍ରାଇଭେଟ ପ୍ରପର୍ଟିରେ ପଶିଛି ବୋଲି । ଏହାସହ ପୋଲିସ ସହ ଆଉ ବି କେତେକ ବ୍ୟକ୍ତି ଯେଉଁମାନେ ପୋଲିସ ନୁହନ୍ତି ସେମାନଙ୍କ ସହ ପଶିକି ସର୍ଚ୍ଚ କରିଛନ୍ତି l" ଏହାସହ ପୋଲିସ ସାଙ୍ଗରେ ହାଫ ପ୍ୟାଣ୍ଟ ପିନ୍ଧା ଯୁବକମାନେ କିଏ ବୋଲି ବିଶାଲ ପ୍ରଶ୍ନ କରିଥିଲେ ।
![Bishal Das Detained](https://etvbharatimages.akamaized.net/etvbharat/prod-images/10-01-2025/od-sam-01-bishal-das-detained-in-chhatishgarh-avb-7202776_10012025083437_1001f_1736478277_1051.jpg)
ଏହା ବି ପଢନ୍ତୁ...ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା - VISHAL DAS SEEK PROTECTION
ପୋଲିସ ମିତ୍ର ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ ସହ ୫ ଗିରଫ, କାରଣ ପୂର୍ବ ଶତ୍ରୁତା - POLICE MIRTA MURDER CASE
ଅନାସ୍ଥା ଭୋଟ:
ଆଜି ଝାରସୁଗୁଡା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷ କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ଭୋଟ ହେବାର ଥିଲା l ଅନ୍ୟପଟେ ବିଶାଲଙ୍କ ସହ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଛତିଶଗଡରେ ଅଟକ ଅଛନ୍ତି । ପୂର୍ବରୁ କୃଷ୍ଣପ୍ରିୟା ସାହୁ ଯିଏ କିରିମିରା ବ୍ଲକର ଅଧ୍ୟକ୍ଷା ଅଛନ୍ତି ସେ ବିଜେଡିରେ ଥିଲେ ଓ ତାଙ୍କର ସ୍ୱାମୀ ତେଜରାଜ ସାହୁ ନବ ଦାସଙ୍କ ବଡ଼ ସମର୍ଥକ ଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ତେଜରାଜ ସାହୁଙ୍କ ସହ ତାଙ୍କର ପତ୍ନୀ ତଥା କିରିମିରା ବ୍ଲକ ଅଧ୍ୟକ୍ଷ କୃଷ୍ଣପ୍ରିୟା ସାହୁ ବିଜେପିରେ ଯୋଗ ଦେଇଥିଲେ l ଏହାସହ ତେଜରାଜ ସାହୁ ଲାଇକେରା, କିରିମିରା, ବାଗଡ଼ିହି ଓ ବାମରା ଅଞ୍ଚଳରେ ଭଲ ସଂଗଠନ ରହିଛି l
![VISHAL DAS SEEKS PROTECTION](https://etvbharatimages.akamaized.net/etvbharat/prod-images/10-01-2025/od-sam-01-bishal-das-detained-in-chhatishgarh-avb-7202776_10012025083437_1001f_1736478277_69.jpg)
ଇଟିଭି ଭାରତ, ସମ୍ବଲପୁର