ନୟାଗଡ଼: ବାଟରେ ଛକି ବସିଥିଲା ଯମ, ଅଧା ରହିଗଲା କାଳୀଜାଇ ଦର୍ଶନ ! ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ । ଜଣେ ମୃତ, ୩୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ । ଏଭଳି ଏକ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡିସି ଛକ ନିକଟରେ । ବ୍ରିଜର ସାଇଟୱାଲକୁ ଧକ୍କା ଦେଇ ୧୫ ଫୁଟ ତଳକୁ ଖସିଲା ବସ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ।
ଅଧା ରହିଗଲା କାଳୀଜାଇ ଦର୍ଶନ:
ଆହାତ ହୋଇଥିବା ଜଣେ ମହିଳା ଯାତ୍ରୀ କହିଛନ୍ତି,"ଆମେ ଖଣ୍ଡପଡା ବ୍ଲକର ଗୁଣ୍ଠୁଣି ଗ୍ରାମରୁ ଏକ ବସ ଯୋଗେ ପ୍ରାୟ 40ରୁ 45 ଜଣ ଯାତ୍ରୀ କାଳୀଜାଇ ଦେଖିବା ପାଇଁ ବାହାରିଥିଲୁ । ତେବେ ରାତି ପ୍ରାୟ 12 ହେବ ରଣପୁର ଖଣ୍ଡିସି ଛକ ନିକଟରେ ବସଟି କୌଣସି କରଣରୁ ଭାରସାମ୍ୟ ହରାଇ ବ୍ରିଜର ସାଇଟୱାଲକୁ ଧକ୍କା ଦେଇ ଦୁର୍ଘଟଣା ଘଟିଥିଲା । ଫଳରେ ଗାଡ଼ିଟି 15 ଫୁଟ ତଳକୁ ଖସିପଡ଼ିଥିଲା । ବସ ଭିତରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । "
ମିଳିଲା ମୃତକଙ୍କ ପରିଚୟ:
ଅନ୍ୟ ଜଣେ ଆହତ ଯାତ୍ରୀ ଗଣେଶ୍ବର ଦାସ କହିଛନ୍ତି," ଆମ ଘର ଖଣ୍ଡପଡ଼ାର ଗୁଣ୍ଠୁଣି । ଆମେ କାଳୀଜାଇ ଏବଂ ତାରାତାରିଣୀ ବୁଲିବା ପାଇଁ ଯାଉଥିଲୁ । ହଠାତ ଖଣ୍ଡିସି ଛକ ନିକଟରେ ଆମ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା । ବସରେ 40ରୁ 45 ଜଣେ ଯାତ୍ରୀ ଥିଲୁ । ଜଣେ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଲେ ବାଉଁସିଆପଡ଼ାର ଛାଟିଆ ଦାସ । "
ଉଦ୍ଧାର କାର୍ଯ୍ୟ ଜାରି:
ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ବସରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଗୁରତର ଆହତମାନଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚାନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ । ସେପଟେ କିଛି ଆହତ ବ୍ୟକ୍ତିଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।
ଇଟିଭି ଭାରତ,ନୟାଗଡ଼