ଜଗତସିଂହପୁର: ଶ୍ବଶୁର ଘରେ ଜ୍ବାଇଁକୁ ହତ୍ୟା ଅଭିଯୋଗ । ଯୁବକଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ପରେ ଶ୍ବଶୁର ଘର ଲୋକେ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏପରି ଘଟଣା ଘଟିଛି ,ବାଲିକୁଦା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ । ମୃତ ଯୁବକ ନାଉଗାଁ ଥାନା ଅଧିନ ଅଲଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ପୁଅ ଏକନ ଭୋଇ ବୋଲି ଜଣାପଡ଼ିଛି । ଏନେଇ ମୃତକଙ୍କ ବାପା ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ।
ଏତଲାରେ ଦର୍ଶାଯାଇଥିବା ଅଭିଯୋଗ ଅନୁସାରେ, ଘଟଣା ଦିନ ମୃତ ଏକନ ତାର ସ୍ତ୍ରୀ ସବିତା ଓ ପୁଅ ସହିତ ନିଜ ଶ୍ବଶୁର ଘର ବାଲିକୁଦା ଥାନା ହାଡ଼ିଆ ପଦା ଗ୍ରାମକୁ ଯାଇଥିଲେ। ସେଠାରେ ଶ୍ବଶୁର ଘର ଲୋକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ଏକନ ନିଜ ଘରକୁ ଫେରିବା ପାଇଁ କହିବାରୁ ତାଙ୍କୁ ତାଙ୍କ ଶ୍ବଶୁର ରବୀନ୍ଦ୍ର, ସ୍ତ୍ରୀ ସବିତା ଓ ଶଳା ବୁଲା ମନା କରିବା ସହ ରାତିରେ କୁକୁଡା ଭୋଜି କରିବା ପାଇଁ କହି ଏକନଙ୍କୁ ଅଟକାଇଥିଲେ ।
ପୂର୍ବ ଯୋଜନା ମୁତାବକ ରାତିରେ ଏକନକୁ ପ୍ରଚୁର ମଦ ପିଆଇ ତଣ୍ଟି ଚିପି ମାରିଥିଲେ । ହତ୍ୟାକୁ ଆତ୍ମହତ୍ୟାର ରୁପ ଦେବା ପାଇଁ ଗଛରେ ଟାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୃତ ଏକନଙ୍କ ବାପା । ଅନ୍ୟପଟେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ହୋଇଥିବା ଏତଲା ଆଧାରରେ ମୃତ ଏକନର ଶ୍ବଶୁର ଓ ଶଳାକୁ ଥାନାରେ ଅଟକ ରଖି ପଚରା ଉଚାର ଆରମ୍ଭ କରିଛି ପୋଲିସ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ