ଜଗତସିଂହପୁର: ଅନିଶ୍ଚିତ ମୌସୁମୀ ବର୍ଷା ଯୋଗୁଁ ଜିଲ୍ଲାରେ ଆଗେଇ ପାରୁନି ଚାଷ କାର୍ଯ୍ୟ । ଜିଲ୍ଲାରେ ଖରିଫ ଚାଷ ପାଇଁ ଚାଷୀ ପାଣିକୁ ଅନେଇ ରହିଛି । ଜଳସେଚିତ କରୁଥିବା 2ଟି ପ୍ରମୁଖ କେନାଲ ତାଳଦଣ୍ଡା ଓ ମାଛଗାଁ ସମ୍ପୂର୍ଣ୍ଣ ଶୁଖିଲା ପଡିଛି । ଯାହାକୁ ନେଇ ଚାଷୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
ସୂଚନାନୂଯାୟୀ, ଜିଲ୍ଲାରେ ମୋଟ 1 ଲକ୍ଷ 45 ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ଅଳ୍ପ କେତେକ ଖାଲୁଆ ଜମିରେ ଚାଷ କାମ ଆରମ୍ଭ ହୋଇଥିବା ବେଳେ ହାରାହାରି 60 ପ୍ରତିଶତ ଚାଷଜମିରେ ପାଣି ଯୋଗୁଁ ଆଗେଇ ପାରୁନାହିଁ । କିନ୍ତୁ ଜିଲ୍ଲା କୃଷି ବିଭାଗ ପାଣିପାଗ ବିଭାଗ ସୂଚନାକୁ ଭିତ୍ତିକରି ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛନ୍ତି । ବର୍ଷା ହେଲେ ଚାଷ କାମ ପ୍ରଭାବିତ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ । ବାସ୍ତବରେ ଦେଖିବାକୁ ଗଲେ ଗତବର୍ଷ ଠାରୁ ଚଳିତବର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଷ କାର୍ଯ୍ୟ ବିଳମ୍ବ ହୋଇଛି ।
ତେବେ ବିଳମ୍ବିତ ମୌସୁମୀ ଓ କେନାଲ ଦ୍ବାରା ଜଳସେଚିତ ଚାଷ ଜମିକୁ ପାଣି ନ ଆସିବା କାରଣରୁ ଏହିଭଳି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ