ଜଗତସିଂହପୁର: ଚାନ୍ଦା ନ ଦେବାରୁ ଦିବ୍ୟାଙ୍ଗ ଓ ତାଙ୍କ ପରିବାରକୁ ମାଡ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଖଇରଙ୍ଗ ପଞ୍ଚାୟତର ପୁରୁଣାଗଡ଼ ଗ୍ରାମରେ । ଦୁର୍ଗାପୂଜା ପାଇଁ ବଟି ନ ଦେବାରୁ ମହିଳାଙ୍କୁ ମରଣାତ୍ମକ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି ।
ପୁରୁଣାଗଡ଼ ଗ୍ରାମର ଦିବ୍ୟାଙ୍ଗ ପ୍ରଫୁଲ୍ଲ ଖଣ୍ଡାୟତରାୟଙ୍କ ସ୍ତ୍ରୀ ମହେଶ୍ୱତା ଖଣ୍ଡାୟତରାୟ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ, ପରିବାର ପ୍ରତିପୋଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଏକ ଗ୍ୟାରେଜ କରି ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ମଙ୍ଗଳବାର ସ୍ଥାନୀୟ ଯୁବକ ଦୁର୍ଗାପୂଜା ବଟି ମାଗିବାରୁ ପ୍ରଫୁଲ୍ଲ ବଟି ଦେଇ ନଥିଲେ ।
ଫଳରେ କେତେକ ଯୁବକ ତାଙ୍କ ଦୋକାନ ଭିତରେ ପଶି ଭଙ୍ଗା ରୁଜା କରିଛନ୍ତି । ସେଇ ସମୟରେ ଦିବ୍ୟାଙ୍ଗ ସ୍ୱାମୀ ପ୍ରଫୁଲ୍ଲ ବିରୋଧ କରିବାରୁ ତାଙ୍କୁ ହ୍ବିଲ୍ ଚେୟାର ରୁ ଘୋଷାଡ଼ି ଆଣି ମାଡ଼ ମାରିଥିଲେ । ଏହାଦେଖି ତାଙ୍କ ସ୍ତ୍ରୀ ମହେଶ୍ୱତା ଓ ଝିଅ ସମ୍ପୃକ୍ତ ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏହାକୁ ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ