ଜଗତସିଂହପୁର: ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତରତଙ୍ଗ ଗ୍ରାମର ବହୁଚର୍ଚ୍ଚିତ ନୃସିଂହ ବାରିକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ହତ୍ୟାକାରୀ ଚନ୍ଦନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରାଜଜ ଅଦାଲତ । ଆଜୀବନ ଜେଲ୍ ସହିତ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ମଧ୍ୟ ହୋଇଛି । ୨୦୧୮ ମସିହା ଫେବୃୟାରୀରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଆସାମୀ ଚନ୍ଦନ ନିଜ ବାପା ଓ ଭାଇ ସହ ମିଶି ନୃସିଂହ ବାରିକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲା ।
ସୂଚନା ମୁତାବକ, ଘଟଣାଟି ଘଟିଥିଲା ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରତଙ୍ଗ ଗ୍ରାମରେ । ଗତ ୨୦୧୮ ମସିହା ଫେବୃୟାରୀରେ ଏକ ଅଙ୍ଗନବାଡ଼ି ଗୃହ ନିର୍ମାଣକୁ କେନ୍ଦ୍ରକରି ଏଠାରେ ହତ୍ୟାକାରୀ ଚନ୍ଦନ ସାହୁ ଓ ସେହି ଗ୍ରାମର ନୃସିଂହ ବାରିକଙ୍କ ମଧ୍ୟରେ ବିବାଦ ହୋଇଥିଲା । ସେହି ଦିନ ଅଭିଯୁକ୍ତ ଚନ୍ଦନ ସାହୁ ବିବାଦର ସମାଧାନ ପାଇଁ ନୃସିଂହ ବାରିକଙ୍କୁ ଗାଁ ଭାଗବତ ଦାଣ୍ଡକୁ ଡକାଇଥିଲା । ନୃସିଂହ ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ପୁଣି ପ୍ରବଳ ଗଣ୍ଡଗୋଳ ହୋଇଥିଲା । ଏହି ବିବାଦ ଉଗ୍ର ରୂପ ନେଇଥିଲା । ରାଗରେ ରକ୍ତ ଚାଉଳ ଚୋବାଇଥିଲା ଚନ୍ଦନ । ଏହାପରେ ଅଭିଯୁକ୍ତ ଚନ୍ଦନ, ତା' ବାପା ଓ ଭାଇ ମିଶି ନୃସିଂହକୁ କଟୁରୀରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ଏହାମଧ୍ୟ ପଢନ୍ତୁ: ଜଗତସିଂହପୁରରେ ନାବାଳିକା ଦୁଷ୍କର୍ମକାରୀରୁ ୭ ବର୍ଷ ଜେଲ୍
ଏହି ଘଟଣା ସମ୍ପର୍କରେ ଜଗତସିଂହପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଚନ୍ଦନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ତା' ବାପା ଓ ଭାଇ ଫେରାର୍ ହୋଇଯାଇଥିଲେ । ଦୀର୍ଘ ୫ ବର୍ଷ ପରେ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ଦୌରାଜଜ କୋର୍ଟ ଏହି ହତ୍ୟା ମାମଲାର ବିଚାର କରିଥିଲେ । କୋର୍ଟ ଅଭିଯୁକ୍ତ ଚନ୍ଦନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତ ଫକୀର ସାହୁ ଓ ଟନ ସାହୁ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ଖବର ମିଳିଛି ।
ଏହାମଧ୍ୟ ପଢନ୍ତୁ: ସୁନା ଚେନ୍ ଛିଣ୍ଡାଇବାରୁ ଦୁଇ ଲୁଟେରାଙ୍କୁ ୩ ବର୍ଷ ଜେଲ୍
ଇଟିଭି ଭାରତ, ଜଗତସିଂହପୁର