ଜଗତସିଂହପୁର: ଶ୍ରମିକମାନଙ୍କ ଉନ୍ନତି କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ଯୋଗାଇବା ବିଷୟ ନେଇ ଅନୁଷ୍ଠିତ ହୋଇଯାଇଛି ଶ୍ରମିକ ସମ୍ମିଳନୀ । ରବିବାର ଆୟୋଜିତ ଏହି ସମ୍ମିଳନୀରେ ଶ୍ରମିକମାନଙ୍କୁ ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ଯୋଗାଇବାର ପ୍ରତିଶୃତି ଦିଆଯାଇଥିବା ବେଳେ ଶାସକ ଦଳର କିଛି ନେତାଙ୍କ ଉପସ୍ଥିତି ସମ୍ମିଳନୀର ଉଦ୍ଦେଶ୍ୟକୁ ଭିନ୍ନ ମୋଡ ଯୋଗାଇଛି । ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
ବର୍ଷିୟାନ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ଉପସ୍ଥିତିରେ ପାରାଦୀପ ଡକ୍ ମଜଦୂର ୱାର୍କର୍ସ ୟୁନିୟନ ଆୟୋଜିତ ଏହି ସମ୍ମିଳନୀରେ ଅଞ୍ଚଳରେ ଦୀର୍ଘ ଦିନର ସମସ୍ୟା ଉପରେ ଆଲୋଚନା ହେଇଥିଲା । ଯେଉଁଥିରେ ୟୁନିୟନ ସହ ଅନୁବନ୍ଧିତ 3ଟି ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସମ୍ମିଳନୀରେ ଉପସ୍ଥିତ ସମସ୍ତ ନେତା ଶ୍ରମିକମାନଙ୍କ ଅଧିକାର ଓ ଉନ୍ନତି ଉପରେ ଆଲୋକପାତ କରିଥିବା ବେଳେ ପାରାଦୀପ ବିଧାୟକ ସମ୍ବିତ ରାଉରରାୟଙ୍କ ଭାଷଣ କିନ୍ତୁ କିଛି ଅଲଗା ଇଙ୍ଗିତ କରିଥିଲା ।
ପାରାଦୀପରେ ଶ୍ରମିକମାନେ ଦୀର୍ଘ ଦିନ ଧରି ଅବହେଳିତ ରହିଥିବା ସହ ସେମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ କେନ୍ଦ୍ରରେ ସାଂସଦ ଏବଂ ରାଜ୍ୟରେ ମନ୍ତ୍ରୀ ଉପସ୍ଥାପନା କରିବା ନେଇ ଚାପ ସୃଷ୍ଟି କରାଯାଇଥିଲା । ତଥାପି ଏପରି ସମ୍ମିଳନୀ କରାଯାଇ ଶାସକ ଦଳର ନେତୃବୃନ୍ଦଙ୍କ ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।
ସୂଚନା ଅନୁଯାୟୀ ଆୟୋଜିତ ସମ୍ମିଳନୀରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହ ବହୁ ସଂଖ୍ୟାରେ ଶ୍ରମିକମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ