ଜଗତସିଂହପୁର: ସରିଲା ଧର୍ମ ମାସ କାର୍ତ୍ତିକ। ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଗତସିଂହପୁର ଜିଲ୍ଲାରେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି ବୋଇତ ବନ୍ଦାଣ ଉତ୍ସବ । ନଦୀ, ନାଳ, ଓ ପୋଖରୀରେ ଡଙ୍ଗା ଭସାଇବାରେ କଟକଣା ଥିବାରୁ ଲୋକେ ନିଜ ଘରେ ବାଲ୍ଟି ଓ କୁଣ୍ଡରେ ପାଣି ରଖି ଡଙ୍ଗା ଭସାଇ ଥିଲେ। ଜିଲ୍ଲାର ପ୍ରମୁଖ ମନ୍ଦିର ମାନଙ୍କରେ 144 ଧାରା ଜାରି କରାଯାଇଛି । ଏନେଇ ଝଙ୍କଡ଼ର ପ୍ରସିଦ୍ଧ ଶାରଳା ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ ହେବା ସହ ସେବକ ମାନଙ୍କୁ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ମନ୍ଦିର ପ୍ରବେଶର 1କିଲୋମିଟର ଠାରୁ ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଥିଲା। ସର୍ବସାଧାରଣ ଯେପରି ମନ୍ଦିର ନିକଟକୁ ନ ଯାଇ ପାରିବେ ସେନେଇ ପୋଲିସ ପକ୍ଷରୁ କଡାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ତେବେ ଲୋକେ ନିଜ ଗ୍ରାମ ଇଷ୍ଟ ଦେବତାଙ୍କୁ ଦର୍ଶନ କରି ପଞ୍ଚୁକ ବ୍ରତ ସମାପନ କରିଥିବା ଦେଖିବାକୁ ମିଳିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ