ଜଗତସିଂହପୁର: ବିଚ୍ ରାସ୍ତାରେ ଯାତ୍ରା କଳାକାରଙ୍କ ହିରୋଗିରି । ଯାତ୍ରା ଅଭିନେତ୍ରୀଙ୍କୁ ପିଟିଲେ ଯାତ୍ରା ଅଭିନେତା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଗ୍ରାମରେ ଯାତ୍ରା ସରିବା ପରେ ଆଜି ଭୋର ୫ଟା ସମୟରେ ଘଟିଥିଲା ଏହି ଘଟଣା । ଯାତ୍ରା ଅଭିନେତ୍ରୀ ମାମୁନିଙ୍କୁ ରାସ୍ତା ଉପରେ ନିସ୍ତୁକ ଭାବେ ମାଡ଼ ମାରୁଥିଲେ ହାପି କର । ଏହାକୁ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଅଟକାଇଥିଲେ । ଏହାସହ କିଛି ମହିଳା ଅଭିନେତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଯାତ୍ରା ଅଭିନେତା ଜଣକ ଉପସ୍ଥିତ ଲୋକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ । ଏହି ଘଟଣାର ଏବେ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଯାତ୍ରା ସ୍ଵର୍ଣ୍ଣମହଲର ଦ୍ଵିତୀୟ ହିରୋ ହାପି କର ଯାତ୍ରାର ହିରୋଇନ୍ ମାମୁନିଙ୍କୁ ଅର୍ଥାତ ତାଙ୍କ ପତ୍ନୀଙ୍କୁ ରାତି ଅଧରେ ବିଚ୍ ରାସ୍ତାରେ ମାଡ ମାରୁଥିଲେ । ଏଭଳି ମାଡ଼ ମାରିଥିଲେ ଯେ ଶେଷରେ ମାମୁନିଙ୍କ ମୁଣ୍ଡ ଓ ମୁହଁ ଫାଟି ରକ୍ତ ବାହାରିଥିଲା । ମାମୁନିଙ୍କୁ ସମ୍ପୃକ୍ତ ଯାତ୍ରା ପାର୍ଟିର କିଛି କଳାକାର ଓ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଯାତ୍ରାରେ ହିରୋ ସାଜି ସମାଜକୁ ନୀତି ଶିକ୍ଷା ଦେଉଥିବା ହିରୋଙ୍କର ଏହି ଭିଲିଆନଗିରିଙ୍କୁ ସମସ୍ତେ ନାପସନ୍ଦ କରିଛନ୍ତି । ତେବେ ଏହି ଘଟଣା କାହିଁକି ଘଟିଲା ତାହାର କାରଣ ଏଯାବତ ଜଣା ପଡ଼ିନି । ଉଭୟ ସ୍ବାମୀ ସ୍ତ୍ରୀ ଥିବାବେଳେ ଏପରି କଣ ଘଟିଲା କିଛି ବୁଝି ହେଉନି ।
ଯାତ୍ରା ଅଭିନୟ ସାରି ଘରକୁ ଫେରୁଥିବା ବେଳେ ହଠାତ କଳାକାର ଜଣକ କାହିଁକି ରାଗିଗଲେ । ଯାତ୍ରା ସ୍ଥଳରେ କୌଣସି ପାଟିତୁଣ୍ଡ ହୋଇଥିଲା ନା ପାରିବାରିକ ସମସ୍ୟା ଥିଲା । ତେବେ ଏତେ ବଡ଼ ଘଟଣା ଘଟିଯାଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ମଧ୍ୟ ପହଞ୍ଚି ନଥିଲା । ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମହିଳା ଜଣକ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ପଚରାଉଚୁରା କରୁଛି । ତେବେ କେଉଁ କାରଣରୁ ହିରୋ ରାଗିଯାଇ ଭିଲିଆନ ସାଜିଲେ ତାହାତ ଏଯାଏଁ ଜଣାପଡ଼ିନାହିଁ ।
ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲାରେ ଜମୁଛି କଲ୍ଲୋଳ ମହୋତ୍ସବ । ଏହି ମହୋତ୍ସବକୁ ମନଭରି ଉପଭୋଗ କରୁଛନ୍ତି ଜିଲ୍ଲାବାସୀ । ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ତୃତୀୟ ଦିନରେ ପହଞ୍ଚିଛି । ତୃତୀୟ ସନ୍ଧ୍ୟାରେ ଓଲିଉଡ ଯୋଡି ସବ୍ୟସାଚ୍ଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ । ଦୁଇଜଣ ବାଜି ଗଲା ବାର ବାଜିଗଲା ଦିଲ କି ଘଢି ଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଯେଉଁଥିଲେ ଝୁମିଥିଲେ ଦର୍ଶକ । ଏହା ସହିତ ଓଲିଉଡ କଣ୍ଠଶିଳ୍ପୀ ସତ୍ୟଜିତ ଓ ଜ୍ୟୋର୍ତିମୟୀଙ୍କ ଗୀତର ଯାଦୁରେ ହଜି ଯାଇଥିଲେ ଦର୍ଶକ । ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହୋଇଥିଲା ।
ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯାଇଥିଲା । ଯାହା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଇଟିଭି ଭାରତ, ଜଗତସିଂହପୁର