ଜଗତସିଂହପୁର: ଭାବର ଠାକୁର ସେ କଳା ଠାକୁର । ସେହି ଜଗନ୍ନାଥ ଭକ୍ତକୁ କଥା ଦେଇ କଥା ରଖିଥିଲେ । ସେହି ବିଶ୍ବାସ ଆଜି ବି ଭକ୍ତଙ୍କ ମନରେ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଦିନ ପାଇଁ ଏଠାକୁ ଆସିଥାନ୍ତି । ସେହି ସ୍ଥାନଟି ହେଲା ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରୁ ତିନି କିଲୋମିଟର ଦୂର ସିଦ୍ଧ ବାରଙ୍ଗ ପୀଠ ।
ଆଜିବି ଭକ୍ତଙ୍କ ମନରେ ବିଶ୍ବାସ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଦିନ ପାଇଁ ଏଠାରେ ଅଵସ୍ଥାନ କରନ୍ତି। ସେଇଦିନ ଉତ୍ସଵ ମୁଖର ହୋଇ ଉଠେ ପବିତ୍ର ବାରଙ୍ଗ ପୀଠ। ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଜଗନ୍ନାଥ ପ୍ରେମୀଙ୍କ ଭିଡ ପରିଲକ୍ଷିତ ହୁଏ। ପୀଠ ପରିସରରେ ଭଜନ କୀର୍ତ୍ତନ ହୋଇଥାଏ । ଏଥିସହ ଶ୍ରଦ୍ଧାଳୁ ବଣଭୋଜି କରି ମହାପ୍ରଭୁଙ୍କୁ ନୈବେଦ୍ୟ ଅର୍ପଣ କରିଥାନ୍ତି । ଏଠାରେ ମହାପ୍ରଭୁଙ୍କ ପ୍ରାଚୀନ ମନ୍ଦିର ସହିତ ମାଳିକା ପ୍ରସିଦ୍ଧ ହନୁମାନଙ୍କ ମନ୍ଦିର ରହିଛି। ସେଥିପାଇଁ ଏହି ପୀଠକୁ ଅତି ପବିତ୍ର ସ୍ଥାନ ବୋଲି ଗଣାଯାଏ।
ଲୋକବାଣୀ ଅନୁସାରେ, 600 ସହ ବର୍ଷ ପୂବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ ସିଧ୍ୟ ବାରଙ୍ଗ। ସେ ପ୍ରତେକ ଦିନ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ସେବନ କରି ଫେରୁଥିଲେ। ଏହିଠାରେ ରହି ସବୁଦିନ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଭକ୍ତ ବାରଙ୍ଗଙ୍କ ଅନ୍ତିମ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଏହି ଠାରେ ଦର୍ଶନ ଦେଇଥିଲେ। ସେଇ ଦିନ ଠାରୁ ଶ୍ରୀକ୍ଷେତ୍ର ମହୋତ୍ସବ ଏଠାରେ ପାଳନ କରାଯାଉଛି।
ମାର୍ଗଶୀର ଶୁକ୍ଳ ଚତୁଦର୍ଶୀ ଦିନ ଏହି ପୀଠରେ ମହାପ୍ରଭୁଙ୍କ ଦର୍ଶନ କଲେ ଅନେକ ଜନ୍ମର ପାପକ୍ଷୟ ହୋଇ ପୁଣ୍ୟ ଅର୍ଜନ ହୋଇ ଥାଏ ବୋଲି ବିଶ୍ବାସ ରହିଛି। ଏହି ଗୋଟିଏ ଦିନ, ଏଠାରେ ମହାପ୍ରଭୁଙ୍କ ଅର୍ଣ୍ଣ ନୈବେଦ୍ୟକୁ ମହାପ୍ରସାଦ ଭାବେ ବିବେଚନା କରାଯାଏ । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ପ୍ରସାଦ ସେବନ କରାଯିବାର ବିରଳ ପରମ୍ପରା ରହି ଆସିଛି।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ