ଜଗତସିଂହପୁର: ଅତି ଭୀଷଣ ସାମୁଦ୍ରିକ ଝଡ଼ 'ଫନି' ପ୍ରଳୟ ନେଇ ଓଡିଶା ଆଡକୁ ତୀବ୍ର ରୂପ ନେଇ ମାଡି ଆସୁଛି । ବାତ୍ୟା ‘ଫନି’କୁ ଉପକୂଳ ଜିଲ୍ଲାରେ ଭୟର ବାତାବରଣ । ବାତ୍ୟା 'ଫନି'କୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ବୋଲି ସୂଚନା ରହିଛି । ଏହାସହ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରୁଛି ଜିଲ୍ଲା ପ୍ରଶାସନ ।
ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଓଡ଼ିଶାରେ ବାତ୍ୟା ହେଲେ ଜଗତସିଂହପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ସିଆଳି,ଓଲରା,ପଦ୍ମପୁର,ରାମତୋରା,ଢିଙ୍କିଆ, ଅନ୍ତପୁର,ଦେକଣି ଲୋକେ ଏବେ ଭାୟତୁର । ଏହାସହ ବାଲିକୁଦା ବ୍ଲକର ମରିଚପୁର,ଭରଦିଆ,ବାଲିଝରି,ଆଦି ଗାଁ ଲୋକେଏବେ ଛାନିଆଁ ହେଲେଣି । ୧୯୯୯ ମହାବାତ୍ୟାର କରାଳରୁପ ଆଜି ବି ଭୁଲି ନାହାଁନ୍ତି ଜଗତସିଂହପୁର ବାସୀ ।
ବୁଧବାର ୩ଟି ଓଡ୍ରାଫ ଟିମ୍କୁ ଏରସମା, ପାରାଦୀପ ଓ ଜଗତସିଂହପୁରରେ ନିୟୋଜିତ କରାଯାଇଛି । ଏହାସହ ୨ ଜଣିଆ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଦାରଖ କରୁଛନ୍ତି । ପ୍ରଥମ ଦଫାରେ ପ୍ରାୟ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏହାସହ ଭୟଭୀତ ନହେଇ 'ଫନି'ର ମୁକାବିଲା କିଭଳି କରାଯିବ ସେ ନେଇ ଲୋକଙ୍କୁ ସଚେତନ ଓ ସତର୍କ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରୁଛି ଜିଲ୍ଲା ପ୍ରଶାସନ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ 'ଫନି' ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଫନି ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି। ଫନି ପ୍ରଭାବରେ ମେ’୨ରୁ ଉପକୂଳ ଅଞ୍ଚଳରେ ବର୍ଷା ସହ ଝଡ଼ ଲାଗି ରହିବା ବେଳେ ମେ’୩ରେ ସାରା ରାଜ୍ୟରେ ବର୍ଷା ହେବ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ