ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ବରାଗୋଳ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ନିଜ ସ୍ତ୍ରୀକୁ ନିଆଁ ଲଗାଇ ଜୀବନ୍ତ ଜାଳି ଦେଇଛି ।
ବରଗୋଳ ଗ୍ରାମର ଟୁବୁଲି ରାଉତ 9 ବର୍ଷ ତଳେ କାବେରୀ ରାଉତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଟୁବୁଲି କିଛି କରୁନଥିବା ବେଳେ ବାପାଙ୍କ ପେନସନରେ ପରିବାର ପ୍ରତିପୋଷଣ ହେଉଥିଲା । ଗତ ବର୍ଷ ଟୁବୁଲି ବାପାଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ଛଅ ମାସ ପୂର୍ବେ ତା ମାଆର ମଧ୍ୟ ମୃତ୍ୟୁ ହୋଇଥିଲା । ଟୁବୁଲିର ବାପା ମାଆଙ୍କ ଦେହାନ୍ତ ପରେ ପେନସନ ବନ୍ଦ ହେବା ଯୋଗୁଁ ଆର୍ଥିକ ଅନାଟନକୁ ନେଇ ସବୁବେଳେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ।
ଗୁରବାର ରାତିରେ ଏହି ଝଗଡା ଉଗ୍ର ରୂପ ଧାରଣ କରି ଥିଲା । ବଚସାକୁ କେନ୍ଦ୍ର କରି ନିଜର ହିତାହିତ ଜ୍ଞାନ ଭୁଲି ଟୁବୁଲି ନିଜ ସ୍ତ୍ରୀ ରଶ୍ମିତା ଉପରେ କିରୋସିନି ଢାଳି ଜୀବନ୍ତ ଜାଳି ଦେଇଥିଲା । ଖବର ପାଇ ଜଗତସିଂହପୁର ଥାନ ଅଧିକାରୀ ରଜନୀ କାନ୍ତ ମିଶ୍ର, SDPO ପ୍ରକାଶ ଚନ୍ଦ୍ର ପାଲ ଘଟଣା ସ୍ଥଳରେ ପହଞ୍ଚି ରଶ୍ମିତାର ଅର୍ଦ୍ଧଦଗ୍ଧ ମୃତ ଦେହକୁ ଜବତ କରିଛନ୍ତି । ଏହାସହ ସ୍ଵାମୀ ଟୁବୁଲିକୁ ଅଟକ ରଖାଯାଇଛି । ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ