ଜଗତସିଂହପୁର: ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଇଳୋ ଗ୍ରାମରେ ଚାଞ୍ଚଲ୍ୟ । କାରଣ ଉକ୍ତ ସ୍ଥାନରେ ଧାନ ଗହୀର ବିଲରେ ମିଳିଛି ନର କଙ୍କାଳ । ଯାହାକୁ ଦେଖି ସ୍ଥାନୀୟ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ମୃତଦେହଟି ୩ରୁ ୪ ମାସ ତଳର ହୋଇଥିବା ଅନୁମାନ କରାଯାଉଛି ।
ନରକଙ୍କାଳ ଦେହରେ ଲୁଙ୍ଗି ଥିବା ବେଳେ ମୃତଦେହର ଅବଶିଷ୍ଟ ଅଂଶ ମାଟିରେ ମିଶି ପଡି଼ ରହିଛି । ସକାଳୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ଲୋକ ଏହି କଙ୍କାଳକୁ ଦେଖିବାକୁ ପାଇଥିଲେ । ନରକଙ୍କାଳ ପରିଚୟ ଜଣାପଡିନଥିବା ବେଳେ ଏହା ଜଣେ ବୟସ୍କଙ୍କ ଭଳି ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କଙ୍କାଳ ଦେଖିବାକୁ ଉକ୍ତ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଚାରିମାସ ତଳୁ ନିଖୋଜ ଥିଲେ । ଏହି କଙ୍କାଳଟି ଉକ୍ତ ବ୍ୟକ୍ତିଙ୍କ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ମାତ୍ର ନିଖୋଜ ବ୍ୟକ୍ତିଙ୍କ ପରିବାର ମୃତଦେହକୁ ଚିହ୍ନଟ କରିପାରିନାହାଁନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନାହିଁ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ