ଜଗତସିଂହପୁର: ଜଗତସିଂହପୁରରେ ଗତକାଲି 300 ଶହ ଗ୍ରାମର ବ୍ରାଉନସୁଗାର ଜବତ ହେବା ପରେ ଅଭିଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ରଙ୍କୁ ମାରାଥନ ଜେରା କରୁଛି ଜିଲ୍ଲା ଅବକାରୀ ବିଭାଗ ଓ ଜଗତସିଂହପୁର ପୋଲିସ । ଅଭିଯୁକ୍ତ ପ୍ରଭାତ ଜଣେ ବିଟେକ ଡିଗ୍ରୀ ଛାତ୍ର ହୋଇଥିବାବେଳେ ସେ ଦୀର୍ଘଦିନ ଧରି ଯୁବବର୍ଗଙ୍କୁ ବ୍ରାଉନସୁଗାର ଯୋଗାଇ ଆସୁଥିଲା ।
ପ୍ରଭାତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ବିଟେକ ଡିଗ୍ରୀ ହାସଲ କରିବା ପରେ ରସୁଲଗଡ଼ ଅଞ୍ଚଳରେ ଏକ ଭଡାଘରେ ରହୁଥିଲା । ସେଠାରେ ସାଙ୍ଗମାନଙ୍କ ସହ ବ୍ରାଉନସୁଗାର ନେବା ଆରମ୍ଭ କରିଥିଲା।
ଭୁବନେଶ୍ୱରରେ ବ୍ରାଉନ ସୁଗାର ଦାମ ଅଧିକ ହୋଇଥିବାରୁ ସେ ଖୋର୍ଦ୍ଧାର ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ କିଣିବା ଆରମ୍ଭ କରିଥିଲା । ଅର୍ଥର ଅଭାବ ଯୋଗୁ 2019ରେ ସେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ବିକିବା ଆରମ୍ଭ କରିଥିଲା । ଖୋର୍ଦ୍ଧାରୁ ଜଗତସିଂହପୁରକୁ ବ୍ରାଉନସୁଗାର ଆଣିବା ପାଇଁ କଟକ ବକ୍ସି ବଜାରର ଜଣେ ବ୍ୟକ୍ତି ତାକୁ ସାହାଯ୍ୟ କରୁଥିବା ସେ ଜେରା ବେଳେ ପ୍ରକାଶ କରିଛି ।
ସେଭଳି ଖୋର୍ଦ୍ଧାରୁ କାକା ନାମକ ଜଣେ ବ୍ୟକ୍ତି ଜିଲ୍ଲାକୁ ବ୍ରାଉନସୁଗାର ଆଣି ବିକ୍ରି କରୁଥିବା ସେ କହିଛି । ଅଭିଯୁକ୍ତ ପ୍ରଭାତଙ୍କ ନାମରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ 2019ରେ ଏକ ମାମଲା ଥିବା ଜଣାପଡ଼ିଛି । ପ୍ରଭାତ ମାତ୍ର 17 ବର୍ଷ ବୟସରେ ମର୍ଫିନ ନିଶା ଇନଜେକ୍ସନ ନେବା ଆରମ୍ଭ କରିଥିଲା ।
ସ୍ଥାନୀୟ ଏସଭିଏମ କଲେଜର ସେ ଜଣେ ଭଲ ମେଧାବୀ ଛାତ୍ର ଥିବାବେଳେ ଏନସିସିରେ ସେ ସି ସାଟିଫିକେଟ ହାସଲ କରିଥିଲା । ଭୁବନେଶ୍ୱରର ଏକ ଗାଡି ସୋ ରୁମରେ ସେ ଏଚ.ଆର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ନିଶା କବଳରେ ପଡି ପ୍ରତ୍ୟେକ ଦିନକୁ 2 ଗ୍ରାମର ଡ୍ରଗ୍ସ ନେଉଥିବା ପ୍ରକାଶ କରିଛି । ତେବେ ଏହି ନିଶାର ମୂଲ୍ୟ ପ୍ରାୟ 5 ହଜାର 600 ଟଙ୍କା ହେବ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ