ଜଗତସିଂହପୁର: ଜିଲ୍ଲାରେ ବାତ୍ୟା ଜୱାଦର ପ୍ରଭାବରେ ପ୍ରବଳ ବର୍ଷା ଗତ ଶନିବାର ରାତିରୁ ଆରମ୍ଭ ହୋଇଛି । ବର୍ଷାର ପ୍ରଭାବରେ ତଳିଆ ଅଞ୍ଚଳ ଗୁଡିକ ଜଳାର୍ଣ୍ଣବ ହୋଇଛି । ଜିଲ୍ଲାର ଏରସମା ଅଞ୍ଚଳରେ ସର୍ବାଧିକ 145 ମିଲି ମିଟର ବର୍ଷା ହୋଇଥିବା ବେଳେ କୁଜଙ୍ଗରେ 95, ମିଲି ମିଟର, ତିର୍ତ୍ତୋଲରେ 50, ନାଉଗାଁରେ 79, ବାଲିକୁଦାରେ 73, ରଘୁନାଥପୁରରେ 54, ବିରିଡିରେ 22 ଓ ଜଗତସିଂହପୁର ସହରରେ 35 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।
ବାତ୍ୟା ପ୍ରଭାବରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ପବନ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ମୁଷଳ ଧାରାରେ ବର୍ଷା ଲାଗି ରହିଥିବାରୁ ଜୀବନ ଯାତ୍ରା ବ୍ୟାହତ ହୋଇଛି । ସେହିଭଳି ପାରାଦୀପ ସମୁଦ୍ରରେ ଉଚ୍ଚ ଜୁଆର ଆସୁଥିବା ଦେଖିବାକୁ ମିଳୁଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ