ଜଗତସିଂହପୁର: ଶେଷରେ ବିସ୍ଥାପିତ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିଲେ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ । ସମସ୍ତ ସମସ୍ତ ସମସ୍ୟାର ସମାଧାନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଉପକଣ୍ଠ ହାଣ୍ଡିଆ ଅଞ୍ଚଳରେ ହାଣ୍ଡିଆ ଗ୍ରାମ୍ୟ ସୁରକ୍ଷା ସମିତି ପକ୍ଷରୁ ଚାଲିଥିବା ଧାରଣା ଶେଷରେ ପ୍ରତ୍ୟାହୃତ ହୋଇଛି । ଏଏମଏନଏସ କମ୍ପାନୀ କତ୍ତୃପକ୍ଷ ଓ ଗ୍ରାମ୍ୟ ସୁରକ୍ଷା କମିଟିର ମିଳିତ ବୈଠକ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଶାସନ ପକ୍ଷରୁ ସମାଧାନ କରିବାର ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।
ସୂଚନା ଅନୁଯାୟୀ, ପାରାଦ୍ୱୀପ ଉପକଣ୍ଠରେ ନିପନ ଷ୍ଟିଲ କମ୍ପାନୀ ପ୍ରତିଷ୍ଠା ପାଇଁ ହାଣ୍ଡିଆ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ । ହାଣ୍ଡିଆ ଗ୍ରାମବାସୀ ସେମାନଙ୍କ ଜୀବନ ଜୀବିକା ଭାବେ ଧାନ ପାନ ଓ ମାଛଚାଷ କରି ପରିବାର ଭରଣ ପୋଷଣ କରୁଥିଲେ। ହେଲେ କମ୍ପାନୀ କତ୍ତୃପକ୍ଷ ଓ ପ୍ରଶାସନ ବିସ୍ଥାପିତମାନଙ୍କୁ ଉଚିତ କ୍ଷତିପୂରଣ ଓ ଜୀବିକା ହରାଉଥିବା ବ୍ୟକ୍ତିମାନଙ୍କୁ କମ୍ପାନୀରେ ଚାକିରି ଦେବାକୁ ସେ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ କମ୍ପାନୀ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଗମନାଗମନ, ପାନୀୟଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷାର ବିକାଶ ପାଇଁ କମ୍ପାନୀ କତ୍ତୃପକ୍ଷ ବ୍ୟବସ୍ଥା କରିବେ ବୋଲି କୁହାଯାଇଥିଲା । କିନ୍ତୁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବାପରେ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇନଥିଲେ । ତେଣୁ ଏନେଇ ଗ୍ରାମ୍ୟ ସୁରକ୍ଷା କମିଟି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ହାଣ୍ଡିଆ ଗ୍ରାମବାସୀଙ୍କ ଧାରଣା, ବିଧାୟକଙ୍କ ଉପରେ ବର୍ଷିଲେ ଗ୍ରାମବାସୀ
ତେବେ ଏନେଇ ପାରାଦ୍ୱୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା ଏ ସମ୍ପର୍କରେ ଏଏମ୍ଏନ୍ଏସ୍ କମ୍ପାନୀର ଜେନେରାଲ ମ୍ୟାନେଜର ପିକେ ମହାନ୍ତି ସହିତ ଆଲୋଚନା କରିଥିଲେ । ଏହି ସମସ୍ତ ଦାବିକୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ସହମତି ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ହାଣ୍ଡିଆ ଗ୍ରାମର 35 ଜଣ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବ । ସେହିପରି ମହିଳା ସ୍ବୟଂ ସହାୟକ ଦଳର ମହିଳା ମାନଙ୍କୁ କମ୍ପାନୀ ଭିତରେ ଥିବା ବଗିଚା କାର୍ଯ୍ୟରେ ନିୟୋଜିତ କରିବ । ଏଥିସହ ଗ୍ରାମର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ କମ୍ପ୍ୟୁଟର ତାଲିମ, ଗାଁ ପୁଷ୍କରିଣୀର ପୁନରୁଦ୍ଧାର, ଗମନାଗମନ ପାଇଁ ରାସ୍ତା ନିର୍ମାଣ ସହିତ ସମସ୍ତ ଦାବି କମ୍ପାନୀ କର୍ତ୍ତୃପକ୍ଷ ମାନି ନେଇଥିଲେ। ତେଣୁ ଏହି ଘଟଣାର ସମାଧାନ ପ୍ରତିଶ୍ରୁତି ପରେ ଗତକାଲି ପାରାଦ୍ୱୀପ ପ୍ରଶାସନ ପକ୍ଷରୁ ଧାରଣା ସ୍ଥଳକୁ ଯାଇ ଧାରଣା ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ । ପ୍ରତିଶ୍ରୁତି ମିଳିବା ପରେ ଗତକାଲି ହାଣ୍ଡିଆ ଗ୍ରାମବାସୀ ଧାରଣାରୁ ଉଠିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର