ଜଗତସିଂହପୁର: ଇଟିଭି ଭାରତର ପ୍ରଭାବ । ଖବର ପ୍ରସାରଣ ପରେ ଚେତିଲା ଜିଲ୍ଲା ଶିକ୍ଷା ବିଭାଗ। ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତ କୁତାମଚଣ୍ଡୀ ବିଦ୍ୟାପୀଠରେ ୩ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସୂଚନା ମୁତାବକ, କୁତାମଚଣ୍ଡୀ ବିଦ୍ୟାପୀଠରେ ୧୩୪ଜଣ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଥିବା ବେଳେ ସେହି ସ୍କୁଲରେ ଜଣେ ବି ଶିକ୍ଷକ ନ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। କୁତାମଚଣ୍ଡୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦାଇତ୍ବରେ ଜଣେ ଓ କ୍ରୀଡା ଶିକ୍ଷକ ରହିଥିଲେ। ସ୍କୁଲ ଗୃହ ଚକାଚକ ହୋଇଥିଲେ ବି ଶିକ୍ଷକ ଅଭାବରୁ ନବମ ଓ ଦଶମ ଶ୍ରେଣୀରେ ପାଠପଢା ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା। ଦୁଇଟି କ୍ଲାସରେ ମୋଟ ୧୩୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା। ଗ୍ରାମବାସୀ ଓ ଅଭିଭାବକ ମାନେ ଏ ସମ୍ପର୍କରେ ବାରମ୍ବାର ଉଚ୍ଚ କତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରି ଆସୁଥିଲା। ଏ ସମ୍ପର୍କରେ ଗତ ୧୦ ତାରିଖ ଦିନ 'ଇଟିଭି ଭାରତ' ରେ ଖବର ପ୍ରସାରଣ ପରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ଶିକ୍ଷା ବିଭାଗ।
ଖବର ପ୍ରସାରଣ ପରେ କୁତମଚଣ୍ଡୀ ବିଦ୍ୟାପୀଠରେ ୩ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଆସନ୍ତା ୨୫ ତାରିଖ ସୁଦ୍ଧା ପୁନର୍ବାର ଆଉ ୨ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଗତସିଂହପୁର ଜିଲ୍ଲାଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଶିକ୍ଷକ ନିଯୁକ୍ତ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷା ଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିଲା। ଫଳରେ ୧୩୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଟାଣି ହୋଇ ଯାଉଥିଲା। ଖବର ପ୍ରସାରଣ ପରେ ଶିକ୍ଷା ବିଭାଗ ପଦକ୍ଷେପ ନେଇଛି।
ପ୍ରକାଶ ଥାଉକି, ରାଜ୍ୟ ସରକାର ବିଦ୍ୟାଳୟର ଉନ୍ନତି ପାଇଁ ୫ଟି ମାଧ୍ୟମରେ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । ସ୍ମାର୍ଟ କ୍ଲାସ୍ରୁମ୍ ସହିତ ସବୁଜ ରଙ୍ଗରେ ବିଦ୍ୟାଳୟଗୁଡିକ ଚକଚକ କରାଯାଉଛି । କମ୍ପ୍ୟୁଟର ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ ଆଦି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବା କଥା କୁହାଯାଇଛି । ହେଲେ ଯେଉଁଠି ସରକାର ନିଜର ଶିକ୍ଷା ବ୍ୟବସ୍ଥା ପାଇଁ ଡିଣ୍ଡିମ ପିଟୁଛନ୍ତି ସେଠାରେ ବାସ୍ତବରେ ଚିତ୍ର କିଛି ଅଲଗା । ୧୯୮୦ ମସିହାରେ ଜଗତସିଂହପୁର ଜିଲ୍ଲାର କୂତାମଚଣ୍ଡି ବିଦ୍ୟାପୀଠଟି ଗ୍ରାମବାସୀଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା । ଗ୍ରାମର କିଛି ବଦାନ୍ୟ ଲୋକଙ୍କ ସହଯୋଗରେ ପ୍ରଥମେ ଏହି ବିଦ୍ୟାପୀଠରେ ଶିକ୍ଷାଦାନ ଆରମ୍ଭ ହୋଇଥିଲା । ତେବେ ୧୯୯୦ ମସିହାରେ ଏହି ବିଦ୍ୟାପୀଠକୁ ଗଣଶିକ୍ଷା ବିଭାଗ ନିଜ ହାତକୁ ନେଇଥିଲା। ସରକାରୀ ଅନୁଦାନରୁ ଶିକ୍ଷାଦାନ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ- ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା, 134 ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ
ଏହି ବିଦ୍ୟାପୀଠ ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ ସମଗ୍ର ରାଜ୍ୟରେ ମଧ୍ୟ ପ୍ରଥମ ହୋଇଥିଲା। ଉନ୍ନତ ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଏହି ଶିକ୍ଷାନୁଷ୍ଠାନ। ଏହି ବିଦ୍ୟାଳୟ ରେ ନବମ ଓ ଦଶମ ଶ୍ରେଣୀ ରେ ମୋଟ ୧୩୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ ଜଣେ ବି କେହି ଶିକ୍ଷକ ନ ଥିଲେ । ଶିକ୍ଷକ ନ ଥିବାରୁ ଅନେକ ପିଲା ସ୍କୁଲ ଆସୁନଥିବା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଜଗତସିଂହପୁର