ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ଠିକା ଶ୍ରମିକଙ୍କୁ ସରକାରୀ ଧାର୍ଯ୍ୟ ଦରମା ମିଳୁନଥିବା ଅଭିଯୋଗ କରି ଶ୍ରମିକମାନେ ଆଜି ଅଭୟ ଚାନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନି ଭାବେ କାର୍ଯ୍ୟ କରୁଥିବା ଏଲଆଣ୍ଡଟି ଆପେକ୍ସ କମ୍ପାନି ଶ୍ରମିକ ମାନଙ୍କୁ ଠିକ ଭାବେ ଦରମା ଦେଉନଥିବା ନେଇ ଅଭିଯୋଗ କରିଛନ୍ତି ।
ଠିକା କମ୍ପାନୀକୁ ଦରମା ମାଗିଲେ କମ୍ପାନି କର୍ତ୍ତୃପକ୍ଷ ଧମକ ଚମକ ଦେଉଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଶତାଧିକ ଠିକା ଶ୍ରମିକ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ପାରାଦ୍ୱୀପ ତୈଳ ବିଶୋଧନାଗାରରେ ଠିକା କମ୍ପାନି ଶ୍ରମିକଙ୍କୁ କେତେବେଳ କମ ପଇସା ଦେଉଛନ୍ତି ତ ଆଉ କେତେବେଳେ ପଇସା କାଟି ଦେଉଛନ୍ତି । ଯଦି ଏ ବାବଦରେ ମୁହଁ ଖୋଲନ୍ତି କେହି ତେବେ ତାଙ୍କୁ ଅନେକ ଦୁର୍ବ୍ୟବହାର କରାଯାଏ । ଏହାସହ ବାରମ୍ବାର ଚାକିରିରୁ ବାହାର କରି ଦେବାର ଧମକ ମଧ୍ୟ ଦେଉଛନ୍ତି । ଖାଲି ସେତିକି ନୁହେଁ କମ୍ପାନି ନିଜେ ଭୂଲ କରେ ଆଉ କର୍ମଚାରୀଙ୍କୁ ଦୋଷ ଦିଏ । ଯଦି କମ୍ପାନି କୌଣସି ଭୂଲ ନକରନ୍ତା ତେବେ ଆମେ କାହିଁକି ଆନ୍ଦୋଳନ କରନ୍ତୁ । ଅଧିକାଂଶ ସମୟରେ ପେମେଣ୍ଟ ହୋଇଥିଲେ ମଧ୍ୟ ତାହା କର୍ମଚାରୀଙ୍କ ଖାତାକୁ ପଠାଯାଇ ନଥାଏ ।
ଏପରିକି ବେଳେ ବେଳେ ଅନେକ କର୍ମଚାରୀଙ୍କ ଦରମାରୁ ୧୦ ହଜାର ଟଙ୍କା ବି କାଟି ଦେଇଛି କମ୍ପାନି । ଏପରି ଭାବେ କର୍ମଚାରୀଙ୍କୁ କମ୍ପାନି ଶୋଷଣ କରିଥାଏ ବୋଲି ସେଠାରେ କାମ କରୁଥିବା ଜଣେ କର୍ମଚାରୀ କହିଛନ୍ତି । ଆଉ ଏହାକୁ ନେଇ ଆନ୍ଦୋଳନ କଲେ ସିଧା କମ୍ପାନିରୁ ବାହାର କରିଦେଇଥାଏ । ଏ ସବୁକୁ ନେଇ ଆଜି କମ୍ପାନି ବିରୋଧରେ ସ୍ଥାନୀୟ ବାସିନ୍ଦା ମାମଲା ରୁଜୁ କରିଛନ୍ତି । ବାହାର ଲୋକଙ୍କୁ ନେଇ କମ୍ପାନି କାମ କରୁଥିବା ବେଳେ ନିଜ କମ୍ପାନିର ଥିବା କର୍ମଚାରୀଙ୍କୁ କିନ୍ତୁ କାମରେ ନିର୍ଯାତନା ଦେଇଥାଏ । ଆଉ ଆଜି ଆମେ ଆନ୍ଦୋଳନ କରିବାରୁ କମ୍ପାନି କର୍ତ୍ତୃପକ୍ଷ ଆମ ସମସ୍ତଙ୍କର ଆଟେଣ୍ଡାଣ୍ଟସକୁ ଡିଲିଟ କରିଦେଇଛି । ସେହିପରି କର୍ମଚାରୀଙ୍କ ଏରିଅରକୁ ବି ଅଟକାଇ ଦେଇଛନ୍ତି କମ୍ପାନି କତ୍ତୃପକ୍ଷ ।
ପ୍ରଥମେ କହୁଛନ୍ତି ସମସ୍ତ ଏରିଅର ଦିଆଯିବ । ହେଲେ ଠିକ ସମୟ ଆସିଲେ କମ୍ପାନି କହୁଛି ପଇସା ନାହିଁ । ତେବେ ଏହି କମ୍ପାନିରେ କାମ କରୁଛନ୍ତି ଦେଢଶହରୁ ୨ଶହ କର୍ମଚାରୀ । ତେଣୁ ତୁରନ୍ତ ଏରିଅର ପଇସା ଦିଅ ଏବଂ ଆମର ଦାବି ପୂରଣ କର । ନହେଲେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଏଆଇଟିୟୁସି ସଭାପତି କହିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର