ପାରାଦୀପ: ଦାବି ପୂରଣ ନ ହେଲେ ଭୋଟ ବର୍ଜନ କରିବେ 9ଟି ମୌଜାର ଲୋକେ । ଆଜି ପାରାଦୀପ ଉପକଣ୍ଠ କତକୁଲାରେ ଆୟୋଜିତ ୯ ମୌଜାର ଭୂ ବନ୍ଦୋବସ୍ତ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାୟ ୯୦ ବର୍ଷ ପରେ ହେବ ଭୂ ବନ୍ଦୋବସ୍ତରୁ ବଞ୍ଚିତ ହୋଇଥିବା କାରଣରୁ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଅଞ୍ଚଳବାସୀ ।
ତେବେ ଦୀର୍ଘ ୯୨ ବର୍ଷ ହେବ ଏହି ଅଞ୍ଚଳର ଜମିବାଡ଼ି ବନ୍ଦୋବସ୍ତ ହୋଇ ପାରୁନଥିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ । ଫଳରେ ଲୋକେ ଜମିବାଡ଼ି କିଣାକିଣି ଓ ବିକ୍ରି କରି ପାରୁ ନାହାଁନ୍ତି । ଲୋକଙ୍କ ଆବଶ୍ୟକତା ସମୟରେ ଜମି ବିକ୍ରି କରି ନପାରିବା ଏବଂ ପିଲାଙ୍କ ପାଠପଢା କ୍ଷେତ୍ରରେ ଆବଶ୍ୟକ ଆବାସିକ ପ୍ରମାଣପତ୍ର ବାହାରି ପାରୁ ନଥିବା ସହ ଜମି ମାଲିକାନାରେ କୌଣସି ପରିବର୍ତ୍ତନ ମଧ୍ୟ କରି ହେଉନାହିଁ।
ଅନ୍ୟପଟେ ଏହି ଅଞ୍ଚଳ ଲୋକଙ୍କ ଜମି ଥାଇ ମଧ୍ୟ ନଥିବା ଭଳି ଅବସ୍ଥା । ଏହି ବିଷୟରେ ସରକାରଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣଷି ସୁଫଳ ମିଳୁନାହିଁ । ଯଦି ଚଳିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଏହି ୯ଟି ମୌଜାର ଭୂ ବନ୍ଦୋବସ୍ତ ବ୍ୟବସ୍ଥା ନ କରିବେ ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ