ଜଗତସିଂହପୁର/ଢେଙ୍କାନାଳ: ବୋହୂକୁ ଗରମ ତାୱାରେ ଚେଙ୍କ ଦେବା ଘଟଣା । ଅଧ୍ୟାପିକା ଶାଶୁଙ୍କୁ ବାନ୍ଧିଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁରର ଉଗ୍ରତାରା କଲୋନୀରେ । ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ତଲାବିଲ ଅଞ୍ଚଳର ରଶ୍ମିତା ବେହେରା 2022 ମସିହାରେ ଜଗତସିଂହପୁରର ସୁପ୍ରଭା ଜେନାଙ୍କ ପୁଅ ଖାରବେଳ ଦିଗବିଜୟ ପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାପକ୍ଷଙ୍କ ପକ୍ଷରୁ ବିଭିନ୍ନ ଯୌତୁକ ସାମଗ୍ରୀ ଦିଆଯାଇଥିଲା । ସବୁ କିଛି ସ୍ବାଭାବିକ ଥିବାବେଳେ ହଠାତ୍ ରଶ୍ମିତାଙ୍କୁ ସ୍ୱାମୀ ଦିଗ ବିଜୟ ପାତ୍ର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା ।
ଏହା ବି ପଢନ୍ତୁ...ନୃଶଂସ କରିଦେଲା ନିଶା, ମଦ୍ୟପାନ ବାରଣ କରିବାରୁ ମହିଳାଙ୍କୁ ଚେଙ୍କ ଦେଲେ ବାପା-ପୁଅ
ଏପରିକି ଅଧ୍ୟାପିକା ଶାଶୁ କୁଆଡେ ତାଙ୍କୁ ମାଡ଼ପିଟ କରିଥିବାର କନ୍ୟାପକ୍ଷ ଲୋକ ଢେଙ୍କାନାଳ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଧ୍ୟାପିକା ଶାଶୁ ବୋହୂ ରଶ୍ମିତାଙ୍କୁ ରୁଟି ପୋଡି ଯିବାରୁ ସେହି ରୁଟି ସେକାରେ ଚେଙ୍କ ଦେବା ସହିତ ମାଡ଼ ମାରିଥିବା ନେଇ ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ବାପା । ଏପରକି ସ୍ୱାମୀ ହେମଦସ୍ତା ସାହାଯ୍ୟରେ ମୁଣ୍ଡକୁ ମାରିବା ଭଳି ମରଣାନ୍ତକ ଆକ୍ରମଣ କରିଥିବା ଭୁବନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ଭୁବନ ଥାନା ପୋଲିସର ଏକ ଟିମ ଚଢ଼ାଉ କରି ଶାଶୁ ଓ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯିବା ପରେ କାମାକ୍ଷାନଗର ଜେଲକୁ ଉଭୟଙ୍କୁ ପଠାଇ ଦିଆଯାଇଥିବା ଜଣା ପଡିଛି । ସେପଟେ ଏହି ଘଟଣାକୁ ନେଇ ଜଗତସିଂହପୁରରେ ଚର୍ଚ୍ଚା ଜୋର ଧରିଛି । ଜଣେ ଅଧ୍ୟାପିକାଙ୍କ ଏଭଳି କାଣ୍ଡକୁ ସାଧାରଣରେ ନାପସନ୍ଦ କରାଯାଉଛି ।
ଏହା ବି ପଢନ୍ତୁ... Royal Family Feud: ବଲାଙ୍ଗୀର ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା, ସାମଗ୍ରୀ ନେବାକୁ ଆସି ନିରାଶ
ବୋହୂକୁ ଗରମ ତାୱାରେ ଚେଙ୍କ ଦେବା ସହିତ ଅନେକ ନିର୍ଯାତନା ଦେଇ ଆସୁଥିବା ନେଇ ଥାନାରେ ବୋହୂଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଥିଲା । ବୋହୂଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ ଶାଶୁଘର ଲୋକେ । ଜଗତସିଂହପୁରର ଉଗ୍ରତାରା କଲୋନୀରେ ଏଭଳି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଜଣେ ଅଧ୍ୟାପିକା ହୋଇ ସୁଦ୍ଧା ବୋହୂକୁ ଏଭଳି ନିର୍ଯାତନା ଦେଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ତେବେ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗରେ ପୋଲିସ ଅଧ୍ୟାପିକା ଶାଶୁଙ୍କୁ ଗିରଫ କରିଥିବା ଜଣାପଡିଛି ।
ଶାଶୁ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନା ଅଟନ୍ତି । ବୋହୁ ରୁଟି ସେକିବା ବେଳେ ପୋଡିଯିବାରୁ ରୁଟି ସେକା ତାଓ୍ବାରେ ଚେଙ୍କ ଦେଇଥିଲେ । ବୋହୁ ରଶ୍ମିତାର ବାପା ମାଆଭାଇ ଭାଉଜ ମହାରାଷ୍ଟ୍ରର ପୁଣେଠାରେ ରହୁଥିବାରୁ ଖବର ପାଇ ଝିଅ ଘରକୁ ଆସି ଝିଅକୁ ଘରକୁ ଆଣି ଚିକିତ୍ସା କରିବା ସହ ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ । ଶନିବାର ଭୋରୁ ଭୁବନ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ଏସଆଇ ବିଜନ ସେଠୀଙ୍କ ନେତୃତ୍ୱରେ ଜଗତସିଂହପୁର ଉଗ୍ରତାର କଲୋନୀରୁ ଗିରଫ ହୋଇଛନ୍ତି ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳ । ଭୁବନ କୋର୍ଟରୁ ଯାମିନୀ ନାମଞ୍ଜୁର ହେବାରୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି ।
ଇଟିଭି ଭାରତ, ଜଗତସିଂହପୁର/ଢେଙ୍କାନାଳ